Latest Odisha News

BREAKING NEWS

ଲଗାଣ ବର୍ଷାରେ ବେହାଲ ସମ୍ବଲପୁର; ୯ରେ ଖୋଲିବ ହୀରାକୁଦ ଗେଟ୍‌

ହୀରାକୁଦ: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଜଳଭଣ୍ଡାରର ଜଳସ୍ତର । ଏହାରି ଭିତରେ ହୀରାକୁଦରୁ ଡ୍ୟାମ୍‌ର ଗେଟ୍ ଖୋଲାଯିବା ନେଇ ସୂଚନା ଦିଆଯାଇଛି । ଆସନ୍ତା ଜୁଲାଇ ୯ ତାରିଖରେ ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ ବୋଲି ହୀରାକୁଦ ଡ୍ୟାମର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି । ଗେଟ୍ ଖୋଲିବା ସମୟରେ ମହାନଦୀ ଭିତରକୁ କେହି ଯେପରି ନଯାନ୍ତି ସେଥିପାଇଁ ମଧ୍ୟ ସତର୍କ କରାଯାଇଛି । ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳ ଭଣ୍ଡାରକୁ ୯୩ ହଜାର କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ, ୨୩ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି । ସେହିପରି ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ପାଇ ୬୦୩. ୮୯ ଫୁଟରେ ପହଞ୍ଚିଛି ।

ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୯୩ ହଜାର ୩୨୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ କେନାଲ, ପାୱାର ଚ୍ୟାନେଲ ଓ ଶିଳ୍ପସଂସ୍ଥା ଜରିଆରେ ମୋଟ ୨୩,୩୦୯ ଘନଫୁଟ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରର କୌଣସି ବି ଗେଟ୍‌ ଖୋଲାଯାଇ ନାହିଁ ।

ଏପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨୨୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଧନକଉଡ଼ା ବ୍ଲକରେ ୨୨୦ ମିମି ବର୍ଷା ରେକର୍ଡ ହୋଇଛି । ସେପଟେ ରେଙ୍ଗାଲି ଅଞ୍ଚଳରେ ୧୬୦ ମିମି ଓ ମାନେଶ୍ବର ୧୨୩ ମିମି ବର୍ଷା ହୋଇଛି । ଯାହା ଫଳରେ ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ସ୍ଥିତି ବେହାଲ ହୋଇଛି । ୨୬୮ ଜଣଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ଆଶ୍ରୟ ଦିଆଯାଇଥିବାବେଳେ ରିଲିଫ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.