ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ଭିଭିଆଇପିଙ୍କ ଏହି ଗସ୍ତକୁ ନେଇ ରାଜ୍ୟ ସରକାର ଏବଂ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ପାଇଁ କେଉଁ କେଉଁ ରାସ୍ତା ବନ୍ଦ ରହିବ କମିଶନରେଟ ପକ୍ଷରୁ ଜାରି ହୋଇଛି ତାଲିକା।
ଉପରାଷ୍ଟ୍ରପତିଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଛି । ସାଧାରଣ ଜନତାଙ୍କ ଯାତାୟାତ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସହରର ଏକାଧିକ ପ୍ରମୁଖ ଛକରେ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଭୁବନେଶ୍ୱର ବିମାନବନ୍ଦର ଏବଂ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ସ୍ଥାନ ଚାରିପାଖରେ ପ୍ରାୟ ୩୦ ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
କେଉଁଠି କେତେବେଳେ ରହିବ କଟକଣା ?
କମିସନରେଟ୍ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉପରାଷ୍ଟ୍ରପତିଙ୍କ କାରକେଡ୍ ଯିବା ସମୟରେ ନିର୍ଦ୍ଦିଷ୍ଟ ରୁଟ୍ଗୁଡ଼ିକରେ ସାଧାରଣ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ବିମାନବନ୍ଦରରୁ ଓୟୁଏଟି ଛକ: ସକାଳ ୧୦ଟା ୨୫ ମିନିଟ୍ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ ବିମାନବନ୍ଦର ଛକରୁ ଆରମ୍ଭ କରି ଓୟୁଏଟି ଛକ ପର୍ଯ୍ୟନ୍ତ ରାସ୍ତାରେ କଡ଼ା କଟକଣା ଲାଗୁ ରହିବ । ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାତାୟାତ ନକରିବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
- ସେହିପରି ପ୍ରଶାସନିକ କେନ୍ଦ୍ରବିନ୍ଦୁ ଲୋକସେବା ଭବନ ଏବଂ ପାୱାର ହାଉସ ଛକରେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ୍ କଟକଣା ବଳବତ୍ତର ରହିବ । ଏଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହେବେ ।
- ଅପରାହ୍ନରେ ଉପରାଷ୍ଟ୍ରପତିଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବାରୁ, ଦିନ ୩ଟା ୫୫ ମିନିଟ୍ ସମୟରେ ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଛକ ଜୟଦେବ ବିହାର ଦେଇ ଯାତାୟାତ ଉପରେ କଟକଣା ଲଗାଯାଇଛି ।
ଟ୍ରାଫିକ୍ ପୁଲିସର ପରାମର୍ଶ
ଭିଭିଆଇପିଙ୍କ ଗମନାଗମନକୁ ସୁଗମ କରିବା ତଥା କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ୍ ପୁଲିସ ସମ୍ପୂର୍ଣ୍ଣ ସଜାଗ ରହିଛି । ସାଧାରଣ ଲୋକେ ଯେପରି ଗମନାଗମନ ସମୟରେ ଅଯଥା ହଇରାଣ ନହୁଅନ୍ତି, ସେଥିପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଟ୍ରାଫିକ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଜରୁରୀକାଳୀନ ସେବା ଯୋଗାଉଥିବା ଯାନବାହନ, ଯେପରିକି ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ଭୁବନେଶ୍ୱରରେ ଆସନ୍ତାକାଲି ହେବ ଜାତୀୟ ବ୍ଲୁ-ଇକୋନୋମି ମହାସମାବେଶ । ଗଭୀର ସମୁଦ୍ରରେ ମତ୍ସ୍ୟଚାଷର ‘ଅନୁମତି ପତ୍ର’ ଓ ଓଡ଼ିଶା ମିଶନର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି । ଓଡ଼ିଶାର ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ର ଏବଂ ଦେଶର ବ୍ଲୁ-ଇକୋନୋମି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆସନ୍ତାକାଲି, ଭୁବନେଶ୍ୱରରେ ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ପକ୍ଷରୁ ଏକ ବୃହତ୍ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ‘ଅନୁମତି ପତ୍ର’ର ଶୁଭାରମ୍ଭ କରିବେ। ଏହା ସହିତ ରାଜ୍ୟର ଅଫ୍-ସୋର୍ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ପ୍ରସ୍ତୁତ ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟଚାଷ ମିଶନ ଦଲିଲ’ ର ମଧ୍ୟ ଉନ୍ମୋଚନ ହେବ।