Latest Odisha News

BREAKING NEWS

ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ;ଫୋକସରେ ପୌର ନିର୍ବାଚନ

ଭୁବନେଶ୍ୱର:ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଆଜି ସଭାପତି ଇଂ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସମସ୍ତ ପଦାଧିକାରୀ ଯୋଗ ଦେଇ ମୌଳିକ ସମସ୍ୟାର ସମାଧାନ ସହ ଦଳର ସଂଗଠନକୁ ସୁଦୃଢ଼ କରିବା କ୍ଷେତ୍ରରେ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ଦଳର ସଭାପତି ମୋକିମ ରାଜ୍ୟ ଓ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ନିରନ୍ତର ନିଷ୍ଠାପର ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି।

ରାଜ୍ୟ ଓ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ସର୍ବୋପରି ତେଣୁ ଓଡ଼ିଶା ଜନତା କଂଗ୍ରେସ ସମସ୍ତ ସମସ୍ୟାର ସମାଧାନ ଓ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବ ଓ ରାଜ ରାସ୍ତାରେ ଲଢେଇ ପର୍ଯ୍ୟନ୍ତ ସର୍ବଦା ପ୍ରସ୍ତୁତ ହୋଇ ରହିଛି ବୋଲି ମୋକିମ କହିଛନ୍ତି ।

ଏଥିସହ ଓଜେସିର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ପଞ୍ଚାୟତ ଏବଂ ବିଶେଷ କରି ପୌର ନିର୍ବାଚନକୁ ପ୍ରାଥମିକତା ଦେବାସହ ଦୃଢ଼ତାର ସହିତ ନିର୍ବାଚନକୁ ଲଢ଼ିବା ପାଇଁ ନିଷ୍ପତି ନିଆଯାଇଛି । ପ୍ରତ୍ୟେକ ଜିଲ୍ଲା ପାଇଁ ଜିଲ୍ଲା ପ୍ରଭାରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ସହିତ ମାସକୁ ଅତିକମରେ ତିନିଥର ଜିଲ୍ଲା ଗସ୍ତ କରିବା ପାଇଁ କୁହାଯାଇଛି ।

ଆଗାମୀ ଦିନରେ ସଭ୍ୟ ସଂଗ୍ରହକୁ ବିଶେଷ ପ୍ରାଧାନ୍ୟ ଦିଆଯିବା ଉପରେ ଆଲୋଚନା ହୋଇଥିଲା। ଆଗାମୀ ଏକ ମାସ ଭିତରେ ଜିଲ୍ଲା କମିଟି ଗଠନ ଏବଂ ଘୋଷିତ ଜିଲ୍ଲାରେ ବୁଥ୍ ସ୍ତରରୁ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତି ନିଆଯାଇଛି । ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟରେ ମାସକୁ ଅତିକମରେ ଦୁଇଟି ସ୍ଥାନୀୟ ସମସ୍ୟାକୁ ନେଇ ପ୍ରତିବାଦ ସଭା ଆୟୋଜନ କରାଯିବା ସହ ଆଗାମୀ ତିନି ମାସ ପରେ ଦଳର ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ପୁନର୍ବାର ଅନୁଷ୍ଠିତ ହେବ ଏବଂ ଦିଆଯାଇଥିବା ଦାୟିତ୍ୱର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ । ଆସନ୍ତା ମାସ ଅଗଷ୍ଟ ପ୍ରଥମ ସପ୍ତାହରେ ପୁରୀ ଠାରେ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଛି।

Leave A Reply

Your email address will not be published.