ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳୁ ସକାଳୁ ଦୀର୍ଘ ସମୟ ଧରି ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଛି। ତେବେ ଡ୍ରୋନ ଉଡାଇଥିବା ଯୁବକଙ୍କୁ ଅଟକ ରଖିଛି ପୋଲିସ।
ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଦୀର୍ଘ ସମୟ ଧରି ମନ୍ଦିର ଉପରେ ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଛି। ନୀଳଚକ୍ର ସହ ଶ୍ରୀମନ୍ଦିରର ବିଭିନ୍ନ ଦିଗରୁ ଫଟୋ ଓ ଭିଡ଼ିଓ ନେଇଥିବା କୁହାଯାଉଛି।
ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ କଟକଣା ଲାଗୁ କରାଯାଇଥିବା ବେଳେ ଡ୍ରୋନ୍ ଉଡ଼ାଣ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡ୍ରୋନ୍ ଉଡାଇଥିବା ବ୍ୟକ୍ତିଙ୍କୁ କାବୁ କରାଯାଇ ସିଂହଦ୍ଵାର ଥାନାକୁ ନିଆଯାଇଥିବା ବେଳେ ସମ୍ପୃକ୍ତ ଡ୍ରୋନ୍ କୁ ମଧ୍ୟ ଜବତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭାରତୀୟ ଯବାନଙ୍କ ତରଫରୁ ମକଡ୍ରିଲ କରାଯାଇଥିଲା। ଶ୍ରୀମନ୍ଦିର ନିକଟରେ ହୋଇଥିଲା ଅପରେସନ ଚକ୍ରବ୍ୟୁହ। ଦୁଇଟି ସ୍ନାଇପର ଟିମ୍ ସହ ୪ ଟି ଭାଗରେ ବିଭକ୍ତ ହୋଇ Special tactical unit (stu)ର କମାଣ୍ଡୋ।ଏଥିସହ ଅଗ୍ନିଶମ ବିଭାଗର ଲ୍ୟାଡର୍, K9 ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ ଏଥିରେ ସାମିଲ ଥିଲେ। ଯଦି ଭୁଲ ବଶତଃ ଆତଙ୍କବାଦୀ ପ୍ରବେଶ କରନ୍ତି ତାକୁ କେମିତି ମୁକାବିଲା କରାଯିବ ତାହା ଦର୍ଶାଯାଇଛି । ଏହି ମକଡ୍ରିଲରେ ପ୍ରଥମେ ଶ୍ରଦ୍ଧାଳୁଙ୍କୁ ବାହାର କରାଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଆତଙ୍କବାଦୀଙ୍କୁ ଆକ୍ରମଣ କରାଯାଇଥିଲା । ଓଡିଶା ପୋଲିସ, ବୋମା ନିସ୍କ୍ରିୟକାରୀ ଦଳ, ଡଗସ୍କାର୍ଡ,ଅଗ୍ନିମମ ବିଭାଗ ସହଯୋଗରେ ଏହି ମକଡ୍ରିଲ କରାଯାଇଥିଲା ।