ମୁମ୍ବାଇ: ମହାରାଷ୍ଟ୍ରର ମରଠୱାଡାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା। ତେବେ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।
ରିପୋର୍ଟ ଅନୁଯାୟୀ, ନାନ୍ଦେଡ ଏବଂ ହିଙ୍ଗୋଲି ଜିଲ୍ଲାରେ ରାତି ୧ଟା ୩୭ମି.ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଗତକାଲି ରାତିରେ ଭୂମିକମ୍ପ ଅନୁଭୂତ ହେବା ପରେ ହିଙ୍ଗୋଲି ଜିଲ୍ଲାର ମରଠୱାଡାର ଲୋକମାନେ କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲେ।
ହିଙ୍ଗୋଲି ସହରରୁ ପ୍ରାୟ ୧୮ କିଲୋମିଟର ଦୂର ହିଙ୍ଗୋଲି-ବସମାତ ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି। ହିଙ୍ଗୋଲି ସହିତ ନାନ୍ଦେଡ, ପରଭାନୀ ଏବଂ ଆଖପାଖ ଜିଲ୍ଲାଗୁଡ଼ିକରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।ଲୋକ ମାନେ ଭୂକମ୍ପ ଅନୁଭବ କରିବା ମାତ୍ରେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ଲୋକମାନେ ସିଲିଂ ଫ୍ୟାନ୍, ଦ୍ୱାର, ଝରକା ଏବଂ ଅନ୍ୟାନ୍ୟ ଘରକରଣା ଜିନିଷପତ୍ରରେ ସାମାନ୍ୟ କମ୍ପନ ଅନୁଭବ କରିଥିଲେ। ହିଙ୍ଗୋଲି, ନାନ୍ଦେଡ଼, ପରଭାନୀ ଏବଂ ଆଖପାଖ ଅଞ୍ଚଳର ଅନେକ ବାସିନ୍ଦା ସୋସିଆଲ ମିଡିଆରେ ଭୂମିକମ୍ପ ନେଇ ନିଜ ଅନୁଭୂତି ସେୟାର କରିଥିବା ଦେଖାଯାଇଥିଲା।