ଭୁବନେଶ୍ୱର: ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ। ଭୁବନେଶ୍ବର ଝାରପଡ଼ା ଜେଲରେ ପୁଣି ଜଣେ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହ ଜେଲରେ ଏଚଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ସୂଚନା ଅନୁସାରେ, ଗତକାଲି ଖଣ୍ଡଗିରି ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା । ଜେଲରେ ପ୍ରବେଶ ପୂର୍ବରୁ ନିୟମ ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ମେଡିକାଲ ସ୍କ୍ରିନିଂ କରାଯାଇଥିଲା ।
ଏହି ସ୍କ୍ରିନିଂ ସମୟରେ ସମ୍ପୃକ୍ତ କଏଦୀଙ୍କ ଏଚଆଇଭି ଟେଷ୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଏହା ପୂର୍ବରୁ ଝାରପଡ଼ା ଜେଲରେ ୮ ଜଣ କଏଦୀ ଏଚଆଇଭି ପଜିଟିଭ୍ ଥିବା ଜଣାପଡ଼ିଥିଲା । ନୂଆ ମାମଲା ଚିହ୍ନଟ ହେବା ପରେ ଏବେ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଥିବା କଏଦୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଆବଶ୍ୟକ ଚିକିତ୍ସା, ପରାମର୍ଶ ଓ ନିୟମିତ ସ୍ୱାସ୍ଥ୍ୟ ନିରୀକ୍ଷଣର ବ୍ୟବସ୍ଥା କରାଯାଉଛି । ସେହିପରି ଜେଲ ଭିତରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି ।
ପୂର୍ବରୁ ଏହି ପ୍ରସଙ୍ଗରେ ଝାରପଡ଼ା ଜେଲର ସୁପରିଣ୍ଟେଣ୍ଡେଣ୍ଟ ସମ୍ପୃକ୍ତ କୋର୍ଟ ଏବଂ ଭୁବନେଶ୍ୱର ଡିସିପିଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଜେଲ ଭିତରେ ସଂକ୍ରମଣ ନିୟନ୍ତ୍ରଣ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ସୁବିଧାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ, HIV ସାଧାରଣ ସଂସ୍ପର୍ଶ, ଏକାଠି ରହିବା, ଖାଇବା କିମ୍ବା ହାତ ମିଳାଇବା ଦ୍ୱାରା ବ୍ୟାପେ ନାହିଁ । ତେଣୁ ସଚେତନତା, ସଠିକ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଚିକିତ୍ସା ମାଧ୍ୟମରେ ଏହାର ପରିଚାଳନା ସମ୍ଭବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ।