Latest Odisha News

BREAKING NEWS

ରାଜ୍ୟରେ ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ! ଏପ୍ରିଲ-ମେ’ରେ ଭୋଟ୍, ବିଳମ୍ବକୁ ନେଇ ତେଜିଲା ରାଜନୈତିକ ବୟାନବାଜି

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଲାଣି। ତେବେ ଚଳିତ ଥର ନିର୍ବାଚନ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହେବ। ଆସନ୍ତା ବର୍ଷ ଏପ୍ରିଲ କିମ୍ବା ମେ’ ମାସରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ବିଳମ୍ବକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପର ରାଜନୀତି ଜୋର ଧରିଛି।

 

ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି।

 

ଭୋଟର ତାଲିକା ଚୂଡ଼ାନ୍ତ ହେବା ପରେ ଏବଂ ମୌସୁମୀ ବର୍ଷା ଆସିବା ପୂର୍ବରୁ ଅର୍ଥାତ୍ ଏପ୍ରିଲ କିମ୍ବା ମେ’ ମାସରେ ଭୋଟ୍ ଗ୍ରହଣ କରାଯିବାର ଯୋଜନା ରହିଛି।

 

ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦଳ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନ ତୁଳନାରେ ଏଥର ପଞ୍ଚାୟତ ନିର୍ବାଚନରେ ବିଜେପି ଆହୁରି ଉନ୍ନତ ତଥା ଐତିହାସିକ ଫଳାଫଳ ପ୍ରଦର୍ଶନ କରିବ।

 

ସେହିପରି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ନିର୍ବାଚନ କମିଶନ ହେଉଛି ଏକ ସାମ୍ବିଧାନିକ ସଂସ୍ଥା ଏବଂ ସେ ନିଜ ନିୟମ ଅନୁଯାୟୀ ପ୍ରସ୍ତୁତି କରୁଛନ୍ତି। ଆମ ଦଳର ରାଜ୍ୟ ସଭାପତି ବହୁ ପୂର୍ବରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। କିନ୍ତୁ ପଞ୍ଚାୟତ ନିର୍ବାଚନ ଆସିବା ବେଳକୁ ବିଜେଡି ଦଳ ଥିବ କି ନାହିଁ ତାହା ଏବେ ଏକ ବଡ଼ ସନ୍ଦେହ। ପୂର୍ବରୁ ଦଳ ନେତାଙ୍କୁ କାର୍ ବାଣ୍ଟୁଥିଲା, କିନ୍ତୁ ଏବେ ଭଡ଼ାରେ ନେତ୍ରୀ ଆଣି ରାଜନୀତି କରୁଛି।”

 

ନିର୍ବାଚନ ଘୁଞ୍ଚିବା ପ୍ରସଙ୍ଗରେ ଶାସକ ଦଳ ଉପରେ ବର୍ଷିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ନେତା।

ବିଜେଡି ବିଧାୟକ ସାରଦା ପ୍ରସନ୍ନ ଜେନା ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ସରକାରୀ ଦଳର ଏହା ପଛରେ ଏକ ଭିତିରି ଏଜେଣ୍ଡା ରହିଛି। ନିଜର ଫାଇଦା ପାଇଁ ସେମାନେ ଜାଣିଶୁଣି ନିର୍ବାଚନକୁ ବିଳମ୍ବ କରାଉଛନ୍ତି। ତେବେ ବିଜେଡି ପଞ୍ଚାୟତ ଲଢ଼େଇ ପାଇଁ ସବୁବେଳେ ପ୍ରସ୍ତୁତ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

 

କଂଗ୍ରେସର ନିଲମ୍ବିତ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଫିଲ୍ମ ଡାଏଲଗ୍ ଷ୍ଟାଇଲରେ ସେ କହିଛନ୍ତି, “‘ଆପନା ଟାଇମ୍ ଆଏଗା’ ଫର୍ମୁଲାରେ ଅପେକ୍ଷା କଲେ ଚଳିବ ନାହିଁ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଠିକ୍ ସମୟରେ ନିର୍ବାଚନ ହେବା ଆବଶ୍ୟକ। ନିର୍ବାଚନ ବିଳମ୍ବ ନକରି ଯଥାଶୀଘ୍ର କରାଗଲେ ତୃଣମୂଳ ସ୍ତରର ଜନପ୍ରତିନିଧିମାନେ ସେମାନଙ୍କର ନ୍ୟାଯ୍ୟ ଅଧିକାର ପାଇପାରିବେ।”

 

ମୋଟାମୋଟି ଭାବେ, ରାଜ୍ୟରେ ଏବେଠାରୁ ଗାଁ ଗହଳିର ରାଜନୀତି ସରଗରମ ହେବା ଆରମ୍ଭ କଲାଣି। ବିଳମ୍ବରେ ହେଲେ ମଧ୍ୟ ଏହି ନିର୍ବାଚନ ଉଭୟ ଶାସକ ଏବଂ ବିରୋଧୀଙ୍କ ପାଇଁ ଏକ ବଡ଼ ଅଗ୍ନିପରୀକ୍ଷା ସାବ୍ୟସ୍ତ ହେବ।

Leave A Reply

Your email address will not be published.