Latest Odisha News

BREAKING NEWS

ଆଉ ବର୍ତ୍ତିବେନି ରାଜପାଲ? ଚେକ୍ ବାଉନ୍ସ ମାମଲାରେ ବଲିଉଡ୍ କମେଡିଆନଙ୍କ ପାଇଁ ବଢ଼ିଲା ଅଡ଼ୁଆ

ନୂଆଦିଲ୍ଲୀ: ନିଜର ଦମଦାର ଅଭିନୟ ଓ କମେଡି ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିବା ବଲିଉଡ୍ ଅଭିନେତା ରାଜପାଲ ଯାଦବ ଏବେ ଆଇନଗତ ଜଟିଳତାରେ ଫସିଛନ୍ତି। ଏକ ବହୁ ପୁରୁଣା ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ଅଭିନେତାଙ୍କ ଦୋଷୀ ସାବ୍ୟସ୍ତ ରାୟକୁ କାଏମ ରଖିଛନ୍ତି। ମାମଲାର ଶୁଣାଣି କରି ଜଷ୍ଟିସ ସ୍ୱର୍ଣ୍ଣା କାନ୍ତ ଶର୍ମାଙ୍କ ପୀଠ ଅଭିନେତାଙ୍କୁ ୩ ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

 

ଅଭିନେତାଙ୍କ ବିରୋଧରେ ଏହି ମାମଲା ପ୍ରାୟ ୨୦୧୦ ମସିହାରୁ ଚାଲିଆସୁଛି। ନିଜର ପ୍ରଯୋଜିତ ଚଳଚ୍ଚିତ୍ର ‘ଅତା ପତା ଲାପତା’ ନିର୍ମାଣ ପାଇଁ ରାଜପାଲ କିଛି ବ୍ୟକ୍ତିଙ୍କଠାରୁ ଋଣ ନେଇଥିଲେ। କିନ୍ତୁ ସେହି ସିନେମା ବକ୍ସ ଅଫିସରେ ଫ୍ଲପ୍ ହେବା ପରେ ଅଭିନେତା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ। ପରବର୍ତ୍ତୀ ସମୟରେ ଋଣ ପରିଶୋଧ ନେଇ ଦେଇଥିବା ଚେକ୍ ବାଉନ୍ସ ହେବାରୁ ମାମଲା କୋର୍ଟ ପର୍ଯ୍ୟନ୍ତ ଗଡ଼ିଥିଲା। ରିପୋର୍ଟ ଅନୁସାରେ, ଏହି ବକେୟା ରାଶି ଏବେ ପ୍ରାୟ ୯ କୋଟି ଟଙ୍କାରେ ପହଞ୍ଚିଛି।

 

ପୂର୍ବରୁ ଏକ ତଳ କୋର୍ଟ ରାଜପାଲଙ୍କୁ ୬ ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ହାଇକୋର୍ଟ ଏହି ଦଣ୍ଡାଦେଶକୁ ହ୍ରାସ କରି ୩ ମାସ କରିଥିଲେ ମଧ୍ୟ ଅଭିନେତାଙ୍କୁ ଆଶ୍ୱସ୍ତି ଦେଇନାହାନ୍ତି। କୋର୍ଟଙ୍କ କହିବା ଅନୁଯାୟୀ, ଅଭିନେତା ବାରମ୍ବାର ଟଙ୍କା ପୈଠ କରିବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ ତାହା ପାଳନ କରିବାରେ ବିଫଳ ହୋଇଛନ୍ତି। ଏଭଳି ଆଚରଣ ଯୋଗୁଁ ତାଙ୍କୁ ପ୍ରୋବେସନ୍‌ର ଲାଭ ମିଳିପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

 

ତେବେ ରାଜପାଲଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇ ହାଇକୋର୍ଟ ତାଙ୍କୁ ଉପର କୋର୍ଟରେ ଅପିଲ୍ କରିବା ପାଇଁ ଦୁଇ ମାସର ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ଅଭିନେତା କିଭଳି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର। ଅଭିନେତା ପୂର୍ବରୁ ମଧ୍ୟ ଏହି ମାମଲାରେ ଜେଲ୍‌ ଯାଇଥିବା ବେଳେ ବର୍ତ୍ତମାନର ଏହି ରାୟ ତାଙ୍କ କ୍ୟାରିଅର୍ ଓ ବ୍ୟକ୍ତିଗତ ଜୀବନ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି।

Leave A Reply

Your email address will not be published.