Latest Odisha News

BREAKING NEWS

ITEP Admissions: ପ୍ରକାଶ ପାଇଲା ITEP ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା;୧୪୬୩ ଜଣ ଚୟନ…

ଭୁବନେଶ୍ୱର:  ଆଜି ସାମ୍ସ ପୋର୍ଟାଲରେ ପ୍ରକାଶ ପାଇଲା ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme- ITEP) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା । ନ୍ୟାସନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟର (NCET) ମାର୍କ ଆଧାରରେ ମେଧା ତାଲିକା ପ୍ରକାଶିତ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମରେ ସର୍ବମୋଟ୍ ୧୫୦୦ଟି ସିଟ୍ ରହିଛି।

ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମ ପାଇଁ ୧୦,୬୪୭ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୧୪୬୩ ଜଣ ଛାତ୍ରଛାତ୍ରୀ ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଛନ୍ତି। ପ୍ରଥମ ମେଧା ତାଲିକାରେ ୫୬୨ ଜଣ ଛାତ୍ର ଏବଂ ୯୦୧ଜଣ ଛାତ୍ରୀ ନାମଲେଖା ପାଇଁ ଚୟନ ହୋଇଛନ୍ତି।

ବି.ଏସସି. ବି. ଏଡ଼ ଏବଂ ବି.ଏ. ବି. ଏଡ଼ ପାଠ୍ୟକ୍ରମ ପାଇଁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର କଟଅଫ୍ ମାର୍କ ସର୍ବାଧିକ ରହିଛି। ବି.କମ୍. ବି. ଏଡ଼ ପାଠ୍ୟକ୍ରମ ପାଇଁ ରାଜଧାନୀ (ଡ଼ିଗ୍ରୀ) କଲେଜର କଟଅଫ୍ ମାର୍କ ସର୍ବାଧିକ ରହିଛି। ବି.ଏସସି. ବି.ଏଡ଼ ପାଇଁ ୫୫୦ ଜଣ, ବି.ଏ. ବି. ଏଡ଼ ପାଇଁ ୮୦୦ଜଣ ଏବଂ ବି.କମ୍. ବି. ଏଡ଼ ପାଠ୍ୟକ୍ରମ ପାଇଁ ୧୧୩ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ।

ପ୍ରଥମ ମେଧା ତାଲିକାରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ ୧୩ ଜୁଲାଇ ଦିନ ୧୧ ଘଟିକାରୁ ୧୫ ଜୁଲାଇ ଅପରାହ୍ନ ୪ ଘଟିକା ମଧ୍ୟରେ ସାମ୍ସ ପୋର୍ଟାଲରେ ଫ୍ରିଜ୍‌/ସ୍ଲାଇଡ଼ ବିକଳ୍ପ ବାଛିପାରିବେ।

ଫ୍ରିଜ୍‌ ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ନିଜର ନିର୍ଦ୍ଧାରିତ ଆଡ଼ମିଶନ ଫି ପ୍ରଦାନ କରି ଇଣ୍ଟିମେସନ ଲେଟର ଡାଉନଲୋଡ୍ କରିବେ ଏବଂ ୧୩ ଜୁଲାଇ ଦିବା ୧୨ ଘଟିକାରୁ ୧୫ ଜୁଲାଇ ସନ୍ଧ୍ୟା ୫ ଘଟିକା ମଧ୍ୟରେ ଉକ୍ତ ଶିକ୍ଷାନୁଷ୍ଠାନକୁ ଯାଇ ନିଜର ଆଡ଼ମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ।

ସ୍ଲାଇଡ଼ ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ନିଜର ସିଟ୍ ପାଇଁ ନିର୍ଦ୍ଧାରିତ ଆଡ଼ମିଶନ ଶୁଳ୍କ ପ୍ରଦାନ କରି ଦ୍ୱିତୀୟ ମେଧା ତାଲିକା ପାଇଁ ଅପେକ୍ଷା କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.