ପୁରୀ: ରଥଯାତ୍ରା ଆରମ୍ଭ ନ ହେଉଣୁ ସକ୍ରିୟ ହୋଇଗଲେଣି ସାଇବର୍ ଠକମାନେ । ରଥଯାତ୍ରାରେ ପୂଜାପାଠ କରିବାକୁ ଆଳ କରି ଦାନ ମାଗୁଛନ୍ତି । ଫେସବୁକ୍ ରେ ମାଳମାଳ ବିଜ୍ଞାପନ ଛାଡୁଛନ୍ତି । ଏଭଳି କଲେ କୁକର୍ମରୁ ମୁକ୍ତି ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହଁ ରଥ ଉପରେ ୨୫୧ କିମ୍ବା ୫୦୧ ଟଙ୍କା ଦେଲେ ମହାପ୍ରଭୁଙ୍କୁ ତୁଳସୀ ଚଢାଇଦେବୁ କହି ବିଜ୍ଞାପନ କରୁଛନ୍ତି ।
ନିଜର ନାଁ ଓ ଗୋତ୍ର ସହିତ ଟଙ୍କା ପଠାଇଲେ ତୁଳସୀ ମାଳ ରଥରେ ଦିଅଁଙ୍କ ଉପରେ ଚଢ଼ିବ ଓ ଏହି ପୂଜା ସମୟର ଭିଡିଓକୁ ରେକର୍ଡ କରି ଶ୍ରଦ୍ଧାଳୁଙ୍କ ହ୍ୱାଟସଆପରେ ପଠାଇଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି ।
ସେହିପରି, ରଥ ଉପରେ ମହାପ୍ରଭୁ ଥିବା ସମୟରେ ତୁଳସୀ ମାଳ ସହ ହୋମ କରାଯାଏ । ଏହି ହୋମ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଏଭଳି ହୋମ କରିବା ପାଇଁ ୫ ହଜାରରୁ ଅଧିକ ଅର୍ଥ ପ୍ରଦାନ କରି ବୁକିଂ କରିବାକୁ କୁହାଯାଉଛି । ଏହି ହୋମରେ ନିଜେ ଶ୍ରଦ୍ଧାଳୁ ସାମିଲ ହୋଇପାରିବେ ନଚେତ ଘରେ ରହି ମଧ୍ୟ ପୂଜକଙ୍କ ଦ୍ୱାରା କରାଇପାରିବେ । ସେହିପରି ଭକ୍ତଙ୍କୁ ଖାଦ୍ୟ ଦାନ ମହାପୁଣ୍ୟ ବୋଲି କୁହାଯାଇ ଦାନ ମଗାଯାଉଛି ।
ରଥଯାତ୍ରା ସମୟରେ ବହୁ ଭକ୍ତ ଠିକ୍ ଭାବେ ଖାଦ୍ୟ, ପାନୀୟ ପାଇନଥାନ୍ତି । ତେଣୁ ସେମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ହଜାର ହଜାର ଟଙ୍କା ଦାନ କରନ୍ତୁ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଛି । ସବୁ ଭିଡିଓ ସହିତ ଏକ ହ୍ୱାଟସ୍ଆପ୍ ନମ୍ବର, ୟୁପିଆଇ ନମ୍ବର ପ୍ରଦାନ କରାଯାଇଛି । ଏହି ଖବର ନେଇ ଅବଗତ ହେବା ପରେ ଶ୍ରଦ୍ଧାଳୁ ସଚେତନ ରହିବାକୁ କ୍ରାଇମ୍ବ୍ରାଞ୍ଚ୍ କହିଛି । ବିଜ୍ଞାପନଗୁଡ଼ିକୁ ଫେସବୁକରୁ ଡିଲିଟ୍ କରିବା ପାଇଁ ସାଇବର୍ ସେଲ୍ ଉଦ୍ୟମ ଜାରି ରଖିଛି ।