ଧର୍ମଗଡ଼:ଡାକ୍ତରଙ୍କୁ ହାତଗୋଡ଼ ବାନ୍ଧି ଘରୁ ଲୁଟିନେଲେ ସୁନା ଓ ନଗଦ ରାଶି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ବିଳମ୍ବିତ ରାତିରେ ଏଭଳି ଏକ ଡକାୟତି ଘଟଣା ସାମ୍ନାକୁ ଆସିଛି । ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଅଜିତ କୁମାର ଦାସଙ୍କ ସରକାରୀ କ୍ୱାର୍ଟରରେ ପଶି ୪ ଜଣ ମୁଖାପିନ୍ଧା ଡକାୟତ ତାଙ୍କୁ କାବୁ କରିବା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।
ସୂଚନାନୁସାରେ;ଶୁକ୍ରବାର ବିଳମ୍ବିତ ରାତିରେ ରୋଗୀ ଦେଖାଇବା ବାହାନାରେ ଡକାୟତମାନେ ଡାକ୍ତରଙ୍କ କବାଟ ବାଡ଼େଇଥିଲେ। ଡାକ୍ତର ଦାସ କବାଟ ଖୋଲିବା ମାତ୍ରେ ସେମାନେ ଜୋରଜବରଦସ୍ତ ଘର ଭିତରକୁ ପଶି ଆସିଥିଲେ। ସଶସ୍ତ୍ର ଡକାୟତମାନେ ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧିବା ସହ ମୁହଁରେ ସେଲୋଟେପ୍ ଲଗାଇ ଦେଇଥିଲେ।
ଏହାପରେ ଆଲମିରା ଭାଙ୍ଗି ନଗଦ ପ୍ରାୟ ୮୨ ହଜାର ଟଙ୍କା, ୫୪ ଗ୍ରାମର ସୁନା ଚେନ୍ ଓ ଦୁଇଟି ମୁଦି ଲୁଟି ଚମ୍ପଟ ମାରିଛନ୍ତି। । ଖବର ପାଇ ଧର୍ମଗଡ଼ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାମଲାର ଗୁରୁତ୍ୱକୁ ଦେଖି ତଦନ୍ତ ପ୍ରକ୍ରିୟାରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରକୁ ସାମିଲ କରାଯାଇଛି ।