Latest Odisha News

BREAKING NEWS

ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ; ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ଜୟପାଟଣା: ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିଲା ନାହିଁ । ଫଳରେ ଟ୍ରାକ୍ଟରରେ ଶିଶୁକନ୍ୟା ନେଲା ଜନ୍ମ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର-କଳାହାଣ୍ଡି ଜିଲ୍ଲା ସୀମାନ୍ତ ଜୟପାଟଣା ବ୍ଲକ ଅମଲାଭଟ୍ଟା ପଞ୍ଚାୟତ ଦାବିରିଘାଟି ଗାଁରେ।

ଗାଁର ଡୋମୁ ମାଝୀଙ୍କ ସ୍ତ୍ରୀ ଉର୍ମିଳା ମାଝୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ରାତି ୧୧ଟା ୩୦ ସମୟରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଦାବିରିଘାଟି ପହଞ୍ଚିପାରି ନ ଥିଲା ଏବଂ ଚଚରାଗୁଡ଼ା ଗାଁରେ ଅପେକ୍ଷା କରିଥିଲା। ଏହାପରେ ପରିବାର ଓ ଗ୍ରାମବାସୀ ପ୍ରାୟ ୧୦ କିଲୋମିଟର ଦୂର ଟ୍ରାକ୍ଟରରେ ଗର୍ଭବତୀଙ୍କୁ ନେଉଥିବା ବେଳେ ରାସ୍ତା ମଝିରେ ହିଁ ଉର୍ମିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ପରେ ଚଚରାଗୁଡା ଗାଁରୁ ଆମ୍ବୁଲାନ୍ସ ସାହାରେ ମୈଦଲପୁର ମେଡିକାଲକୁ ଭର୍ତ୍ତି କରାଯାଇଥିଲା। ପ୍ରସୂତୀଙ୍କ ରକ୍ତର ଅଭାବ ଓ ମ୍ୟାଲେରିଆ ଥିବା ହେତୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଛି।

କଳାହାଣ୍ଡି ଜିଲାରେ ରହିଥିଲେ ମଧ୍ୟ ଏହି ସୀମାନ୍ତ ଅଞ୍ଚଳର ଲୋକମାନେ ସ୍ବାସ୍ଥ୍ୟସେବା ପାଇଁ ନବରଙ୍ଗପୁର ଜିଲା ଉପରେ ନିର୍ଭର କରୁଛନ୍ତି। ଏହି ଘଟଣା ପୁଣିଥରେ ଦୁର୍ଗମ ଅଞ୍ଚଳରେ ରାସ୍ତା ଓ ସ୍ବାସ୍ଥ୍ୟସେବାର ଦୟନୀୟ ସ୍ଥିତିକୁ ସାମ୍ନାକୁ ଆଣିଛି।

 

Comments are closed.