ନୂଆଦିଲ୍ଲୀ: ଟ୍ରେନ୍ ଟିକେଟ୍ ବୁକିଂ ବେଳେ ୱେବସାଇଟ୍ ହ୍ୟାଙ୍ଗ୍ ହେବା କିମ୍ବା ତତ୍କାଳ ଟିକେଟ୍ ନମିଳିବା ଭଳି ସମସ୍ୟାରୁ ଏବେ ଯାତ୍ରୀଙ୍କୁ ମୁକ୍ତି ମିଳିବ। ରେଳ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ରେଳ ମନ୍ତ୍ରଣାଳୟ ଆଇଆରସିଟିସି ୱେବସାଇଟ୍ର ଏକ ନୂଆ ତଥା ଅତ୍ୟାଧୁନିକ ଭର୍ସନ ଲଞ୍ଚ୍ କରିବାକୁ ଯାଉଛି। ଏହି ନୂଆ ସିଷ୍ଟମ୍ରେ ୧୦ ଗୁଣା ଅଧିକ ଟ୍ରାଫିକ୍ ନିୟନ୍ତ୍ରଣ କରିବାର କ୍ଷମତା ରହିଥିବା ବେଳେ, ଏଣିକି ବିନା କୌଣସି ଝଞ୍ଜଟରେ ଖୁବ୍ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ନିଜର ଟିକେଟ୍ ବୁକ୍ କରିପାରିବେ।
ପୁରୁଣା ୱେବସାଇଟରେ ଗୋଟିଏ ମିନିଟରେ ମାତ୍ର ୩୨,୦୦୦ ଟିକେଟ୍ ବୁକ୍ ହୋଇପାରୁଥିଲା। କିନ୍ତୁ ଏହି ନୂଆ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରତି ମିନିଟରେ ୧.୫ ଲକ୍ଷରୁ ଅଧିକ ଟିକେଟ୍ ବୁକିଂ କରାଯାଇପାରିବ। ସେହିପରି ପିଏନଆର୍ ଷ୍ଟାଟସ୍ ଏବଂ ଟ୍ରେନ୍ ଇନକ୍ୱାରୀ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ମିନିଟ୍ ପ୍ରତି ୪ ଲକ୍ଷ ଇନକ୍ୱାରୀ ହେଉଥିବା ବେଳେ, ଏବେ ତାହାକୁ ୪୦ ଲକ୍ଷରୁ ଅଧିକ କରାଯାଇଛି। ଅଧିକ ଦକ୍ଷ ତଥା ସ୍କେଲେବଲ୍ ରିଜର୍ଭେସନ୍ ସିଷ୍ଟମ୍ କାରଣରୁ ତତ୍କାଳ ଟିକେଟ୍ ବୁକିଂ ସମୟରେ ପେଜ୍ ଲୋଡିଂ ଅଧିକ ଫାଷ୍ଟ୍ ହେବ ଏବଂ ୱେବସାଇଟ୍ ଆଦୌ ହ୍ୟାଙ୍ଗ୍ ହେବ ନାହିଁ।
ନୂଆ ୱେବସାଇଟ୍କୁ ବେଶ୍ ସରଳ ଓ କ୍ଲଟର-ଫ୍ରି ରଖାଯାଇଛି। ଟିକେଟ୍ ବୁକ୍ କରିବା ସମୟରେ ଆସୁଥିବା ଅନାବଶ୍ୟକ କ୍ୟାପଚାର ବାଧ୍ୟତାମୂଳକ ନିୟମକୁ ହଟାଇ ଦିଆଯାଇଛି। ଏହାଛଡ଼ା ଧ୍ୟାନ ଭଙ୍ଗ କରୁଥିବା ଫ୍ଲାସିଂ ଗ୍ରାଫିକ୍ସ ଏବଂ ବିରକ୍ତିକର ପପ୍-ଅପ୍କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି, ଯାହା ଫଳରେ ୟୁଜରମାନେ ଏକ ଉନ୍ନତ ତଥା ଦ୍ରୁତ ଅଭିଜ୍ଞତା ଲାଭ କରିପାରିବେ।
ରେଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଏହି ମେଗା ଅପଗ୍ରେଡେସନ୍ରେ ଯାତ୍ରୀଙ୍କ ପାଇଁ ଅନେକ ନୂତନ ସୁବିଧା ଯୋଡ଼ାଯାଇଛି:
ମନପସନ୍ଦର ସିଟ୍: ବୁକିଂ ବେଳେ ଯାତ୍ରୀମାନେ ନିଜ ପସନ୍ଦର ସିଟ୍ କିମ୍ବା ବର୍ଥ (Berth) ବାଛିବାର ସ୍ୱତନ୍ତ୍ର ବିକଳ୍ପ ପାଇବେ।
ଫେୟାର କ୍ୟାଲେଣ୍ଡର: ଟିକେଟ୍ ଦର ତୁଳନା କରିବା ପାଇଁ ଏହି କ୍ୟାଲେଣ୍ଡର ଜରିଆରେ ବିଭିନ୍ନ ତାରିଖରେ ଟ୍ରେନ୍ ଭଡ଼ା କେତେ ରହିଛି ତାହା ସହଜରେ ଦେଖିହେବ।
ବହୁଭାଷୀ ସେବା: କେବଳ ଇଂରାଜୀ ବା ହିନ୍ଦୀ ନୁହେଁ, ବରଂ ବିଭିନ୍ନ ଆଞ୍ଚଳିକ ଭାଷାରେ ଟିକେଟ୍ ବୁକିଂ ଓ ଇନକ୍ୱାରୀ କରିବାର ସୁବିଧା ଉପଲବ୍ଧ ହେବ।
ସମସ୍ତଙ୍କ ପାଇଁ ଗୋଟିଏ ପ୍ଲାଟଫର୍ମ: ଦିବ୍ୟାଙ୍ଗ ଜନ, ଛାତ୍ରଛାତ୍ରୀ ଏବଂ ରୋଗୀମାନଙ୍କ ପାଇଁ ଥିବା ରିହାତି ତଥା ସ୍ୱତନ୍ତ୍ର ସୁବିଧାଗୁଡ଼ିକୁ ଏଣିକି ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରାଯାଇଛି।
ସୂଚନାଯୋଗ୍ୟ, ୱେବସାଇଟରେ ଉପଲବ୍ଧ ହେବାକୁ ଥିବା ଏହି ସମସ୍ତ ଅପଗ୍ରେଡେଡ୍ ଫିଚର୍ସ ରେଳବାଇର ସ୍ୱତନ୍ତ୍ର ଆପ୍ ‘ରେଲୱାନ’ (RailOne) ରେ ମଧ୍ୟ ଉପଲବ୍ଧ ହେବ।