Latest Odisha News

BREAKING NEWS

Rath Yatra 2026:ତିନି ଠାକୁରଙ୍କ ରଥରେ ଶୋଭା ପାଇବ ସୋଲ ଫୁଲ; ଶ୍ରଦ୍ଧାର ସହ ତିଆରି କରୁଛନ୍ତି ଭୋଇ ପରିବାର

ପୁରୀ: ଆଉ ମାତ୍ର ୩ ଦିନ ପରେ ବିଶ୍ବନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଯାହା ପାଇଁ ଏବେଠୁ ଭକ୍ତମାନେ ବ୍ୟାକୁଳ। ଏପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ରଥ ପଥ ସମସ୍ତେ ପ୍ରସ୍ତୁତ । ତେବେ ମହାପ୍ରଭୁଙ୍କ ଦିବ୍ୟ ରଥଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ସୋଲ ଫୁଲ । ରଥ ଗଡ଼ିବା ବେଳେ ସୋଲ ଫୁଲର ଝଲକ ମହାପ୍ରଭୁଙ୍କ ରଥଯାତ୍ରାର ଶୋଭାକୁ ଆହୁରି ବଢ଼ାଇଦିଏ । ତେବେ ତିନି ରଥରେ ଲାଗିହେବାକୁ ଥିବା ସେହି ସୋଲ ଫୁଲକୁ ଅତି ଶ୍ରଦ୍ଧାର ସହ ତିଆରି କରୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋର ଓ ତାଙ୍କ ପରିବାର ।

ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇବା ପାଇଁ ଅନେକ ଭକ୍ତ ଅପେକ୍ଷା କରିଥାନ୍ତି । ସେହିପରି ରାଜ କିଶୋର ଏବଂ ତାଙ୍କ ଭାଇ ବୀର କିଶୋରଙ୍କ ସହ ପରିବାରର ଅନ୍ୟମାନେ ନିଷ୍ଠାର ସହ ସୋଲ ଫୁଲ ତିଆରି କରିବାରେ ଲାଗି ପଡ଼ିଛନ୍ତି ।୨୦୦୪ ମସିହାରୁ ତିନି ରଥରେ ସୋଲ ଫୁଲ ଲାଗି କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରୁ ଅନୁମତି ପାଇଛନ୍ତି । ସବୁଠାରୁ ବଡ଼ କଥା ଏହି କାମ କରିବାକୁ ମନ୍ଦିର ପ୍ରଶାସନ ଠାରୁ କୌଣସି ପ୍ରକାର ପାଉଣା ନିଅନ୍ତି ନାହିଁ ।

ସୂଚନାଥାଉକି, ରାଜ କିଶୋର ଏବଂ ତାଙ୍କ ଭାଇ ବୀର କିଶୋରଙ୍କ ପରିବାର କାର୍ତ୍ତିକ ମାସରୁ ସୋଲ ସଂଗ୍ରହରେ ଲାଗି ପଡନ୍ତି। ନିମାପଡ଼ା, ଅସ୍ତରଙ୍ଗ, କାକଟପୁର, ପିପିଲି, କୋଣାର୍କ ଏବଂ ଡେଲାଙ୍ଗ ଆଦି ଅଞ୍ଚଳରେ ଥିବା ସନ୍ତସନ୍ତିଆ ସ୍ଥାନଗୁଡ଼ିକରୁ ସଂଗ୍ରହ କରିଥାନ୍ତି ସୋଲ । ତାକୁ ଖରା କାକରରେ ଶୁଖାଇ ଛୋଟ ଛୋଟ ଖଣ୍ଡ କରି ସାଇତି ରଖାଯାଏ । ଅକ୍ଷୟ ତୃତୀୟାରେ ପୁରୀ ବଡ଼ଦାଣ୍ଡରେ ରଥକାମ ଆରମ୍ଭ ହେବା ଦିନଠାରୁ, ରାଜକିଶୋରଙ୍କ ପରିବାର ଛୁରୀ ଓ ଅନ୍ୟାନ୍ୟ ସରଞ୍ଜାମ ସବୁ ପୂଜା କରି ସୋଲରୁ କଦମ୍ବ ଏବଂ ସେବତୀ ଫୁଲ ଗଢ଼ିବା ଅନୁକୂଳ କରିଥାଆନ୍ତି । ନେତ୍ର ଉତ୍ସବ ଦିନ ରାଜ କିଶୋର ଓ ତାଙ୍କ ଭାଇ ବୀର କିଶୋର ନିଜେ ଫୁଲ ନେଇ ମନ୍ଦିର କାର୍ଯ୍ୟାଳୟରେ ସମର୍ପି ଦେବା ପରେ ରଥରେ ନିଶୁଣି ଲଗାଇ ଫୁଲଗୁଡ଼ିକ ସୁନ୍ଦର ଭାବେ ଲଗାଇଥାନ୍ତି ।

ଏହି କାର୍ଯ୍ୟ ପାଇଁ ସେମାନେ ପ୍ରାୟ ୩୦ ରୁ ୪୦ ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । ସୋଲରୁ ଫୁଲ ତିଆରି କରିବା ଏକ ସୂକ୍ଷ୍ମ କଳା । ପ୍ରକୃତରେ ଏହା କେବଳ ଏକ କଳା ନୁହେଁ, ଏହା ହେଉଛି ଭକ୍ତିର ଏକ ଅନନ୍ୟ ନିଦର୍ଶନ ।

Leave A Reply

Your email address will not be published.