ପୁରୀ: ଆଉ ମାତ୍ର ମଝିରେ ଗୋଟିଏ ଦିନ, ବଡଦାଣ୍ଡରେ ମିଶିବ ଭକ୍ତ ଏବଂ ଭଗବାନଙ୍କ ବେନିନୟନ । ଯାହାପାଇଁ ବ୍ୟାକୁଳ ଭକ୍ତଙ୍କ ମନ । ସେ ପୁରୀ ରଥଯାତ୍ରା ହେଉ କି ସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ପ୍ରାୟ ପ୍ରତ୍ୟେକ ଭକ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଆସେ, ମହାପ୍ରଭୁଙ୍କ ବିଭିନ୍ନ ନୀଳାରେ ସେ ଗୋରା କିମ୍ବା ଶ୍ୟାମଳ ବର୍ଣ୍ଣ ଭାବେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ କଳିଯୁଗରେ କୋଟି ଓଡିଆଙ୍କ ମଉଡମଣି କାଳିଆର ମୁହଁ କାହିଁକି ଏତେ କଳା?
ଏହାର ଅନେକ ଧାର୍ମିକ ଓ ଐତିହାସିକ ବ୍ୟାଖ୍ୟା ଥିଲେ ମଧ୍ୟ, ଓଡ଼ିଶାର ଲୋକକଥାରେ ରହିଛି ଏକ ଅତ୍ୟନ୍ତ ଭାବପ୍ରବଣ କାହାଣୀ। ଏହା କେବଳ ଭଗବାନଙ୍କ କଥା ନୁହେଁ, ବରଂ ଜଣେ ପୁଅର ମା’ ପ୍ରତି ଅସୀମ ଭଲପାଇବା, ଅନୁତାପ ଓ ଏକ ଅନନ୍ତ ପ୍ରତିଜ୍ଞାର କାହାଣୀ।
ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଭାବେ ଅବତାର ନେଇଥିଲେ ମହାପ୍ରଭୁ। ଦେବକୀଙ୍କ ଗର୍ଭରେ ଜନ୍ମ ହୋଇଥିଲେ ମଧ୍ୟ ଗୋକୁଳରେ ମା’ ଯଶୋଦାଙ୍କ କୋଳରେ ବଢ଼ିଥିଲେ। ଦୁଷ୍ଟାମି, ବଂଶୀର ସୁର ଓ ଅଲୌକିକ ଲୀଳାରେ ସେ ଗୋକୁଳବାସୀଙ୍କ ହୃଦୟ ଜିତିନେଇଥିଲେ। କିନ୍ତୁ ଦିନେ ଭାଗ୍ୟର ଡାକ ଆସିଲା। କଂସ ବଧ ପାଇଁ ଶ୍ରୀକୃଷ୍ଣଙ୍କୁ ମଥୁରା ଯିବାକୁ ପଡ଼ିଲା। ଘର ଛାଡ଼ିବା ପୂର୍ବରୁ ସେ କାନ୍ଦୁଥିବା ମା’ ଯଶୋଦାଙ୍କୁ କଥା ଦେଇଥିଲେ, “ମା’, ମୁଁ ଖୁବ୍ ଶୀଘ୍ର ଫେରି ଆସିବି।” ପୁଅର କଥାରେ ବିଶ୍ୱାସ କରି ଯଶୋଦା ତାଙ୍କୁ ବିଦାୟ ଦେଇଥିଲେ। ହେଲେ ଦିନ ଯାଇ, ମାସ ଯାଇ, ବର୍ଷ ବର୍ଷ ବିତିଲା, ଅପେକ୍ଷା… ଯାହା କେବେ ସରିନଥିଲା । ଫେରିନଥିଲେ ଶ୍ରୀକୃଷ୍ଣ । ଗୋକୁଳର ପ୍ରତ୍ୟେକ ଲୋକ ମଥୁରା ରାସ୍ତାକୁ ଚାହିଁ ରହୁଥିଲେ। ଗୋପୀମାନେ କାନ୍ଦୁଥିଲେ, ରାଧା ବିରହରେ ଜଳୁଥିଲେ, ଆଉ ମା’ ଯଶୋଦା ନୀରବରେ ପୁଅର ବାଟକୁ ଚାହିଁ ବସି ରହୁଥିଲେ। ସମୟ ବଢ଼ିବା ସହ ଲୋକଙ୍କ ପ୍ରଶ୍ନ ଅଭିଯୋଗରେ ପରିଣତ ହେଲା। “ସମସ୍ତଙ୍କ ମନ ଚୋରି କରି ଚାଲିଗଲା… ଆଉ ଫେରିଲାନି”, ବୋଲି କହି ଅନେକ ଲାଞ୍ଛନା ମା’ ଯଶୋଦାଙ୍କୁ ଶୁଣିବାକୁ ମିଳୁଥିଲା ।ଓଡ଼ିଶାର ଲୋକବିଶ୍ୱାସ ଅନୁସାରେ, ପୁଅର ବିରହ ଓ ଲୋକଙ୍କ ଅପମାନର ଯନ୍ତ୍ରଣାରେ ଯଶୋଦାଙ୍କ ଉଜ୍ଜ୍ୱଳ ମୁହଁ ଧୀରେ ଧୀରେ ଶୁଖିକି କଳାକାଠ ପଡ଼ିଯାଇଥିଲା।
ଆଉ ବହୁଦିନ ପରେ କଂସ ବଧ ପରେ ଶ୍ରୀକୃଷ୍ଣ ଯେତେବେଳେ ମା’ଙ୍କୁ ଭେଟିବାକୁ ଫେରିଲେ, ସେ ପ୍ରଥମେ ମା’ଙ୍କ ମୁହଁକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। “ମା’, ତୁମ ମୁହଁ ଏତେ କଳା କେମିତି ହେଲା?”, ସେତେବେଳେ ଯଶୋଦା କହିଥିଲେ, “ତୁ ଚାଲିଯିବା ପରେ ସମସ୍ତେ ମୋତେ ଦୋଷ ଦେଲେ। ତୋତେ ବିଶ୍ୱାସଘାତକ ବୋଲି କହିଲେ। ତୋର ଅପେକ୍ଷା କରି କରି ମୋ ମୁହଁ ଦୁଃଖରେ କଳାକାଠ ପଡ଼ିଗଲା।” ମା’ଙ୍କ ଏହି କଥା ଶୁଣି ଶ୍ରୀକୃଷ୍ଣଙ୍କ ଆଖିରେ ଲୁହ ଆସିଗଲା। ମା’ଙ୍କ ଦୁଃଖ ଦେଖି ଶ୍ରୀକୃଷ୍ଣ ଏକ ଅଦ୍ଭୁତ ପ୍ରତିଜ୍ଞା କରିଥିଲେ। କହିଥିଲେ, “ମା’, ଏ ଯୁଗରେ ମୋ ପାଇଁ ତୁମ ମୁହଁ କଳା ପଡ଼ିଛି। କିନ୍ତୁ କଳିଯୁଗରେ ଯେତେବେଳେ ମୁଁ ଜଗନ୍ନାଥ ରୂପରେ ଅବତାର ନେବି, ସେତେବେଳେ ସେହି କଳା ରଙ୍ଗକୁ ମୁଁ ନିଜ ମୁହଁରେ ଧାରଣ କରିବି। ଦୁନିଆ ଜାଣିବ ଯେ, ମା’ର ଦୁଃଖକୁ ପୁଅ ନିଜେ ବହନ କରିଛି।”
ଲୋକବିଶ୍ୱାସ କହେ, କଳିଯୁଗରେ ପୁରୀରେ ଶ୍ରୀଜଗନ୍ନାଥ ରୂପେ ଅବତାର ନେଇ ଶ୍ରୀକୃଷ୍ଣ ନିଜ ପ୍ରତିଜ୍ଞା ପାଳନ କରିଛନ୍ତି । ସେଥିପାଇଁ ମହାପ୍ରଭୁଙ୍କ ମୁଖ ଆଜି ମଧ୍ୟ କଳା। ଏହା କେବଳ ଗୋଟିଏ ରଙ୍ଗ ନୁହେଁ, ବରଂ ମା’ ପ୍ରତି ପୁଅର ଅସୀମ ଭଲପାଇବା, ଅନୁତାପ ଓ ତ୍ୟାଗର ପ୍ରତୀକ। ସେଥିପାଇଁ ଓଡ଼ିଆ ଭକ୍ତମାନେ ସ୍ନେହରେ ତାଙ୍କୁ “କାଳିଆ ସାଆନ୍ତ” ବୋଲି ଡାକନ୍ତି। କାରଣ ଭକ୍ତଙ୍କ ବିଶ୍ୱାସ, ନିଜ ପ୍ରିୟଜନଙ୍କ ଦୁଃଖକୁ ନିଜ ଉପରେ ନେଇ ସଦା ହସୁଥିବା ସେହି କଳାମୁହଁ ହେଉଛି କରୁଣାର ଜୀବନ୍ତ ପ୍ରତୀକ।