Latest Odisha News

BREAKING NEWS

NEET ରେଜଲ୍ଟକୁ ନେଇ ପୁଣି ବିବାଦ: ଓଡ଼ିଶାର ଛାତ୍ରୀଙ୍କ ସଙ୍ଗିନ ଅଭିଯୋଗ, OMR ସିଟ୍‌ରେ ହେରଫେର ସନ୍ଦେହ

ଭୁବନେଶ୍ୱର: ଦେଶର ସବୁଠାରୁ ସମ୍ବେଦନଶୀଳ ପରୀକ୍ଷା NEET-UGକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଏବଂ ଗ୍ରେସ ମାର୍କକୁ ନେଇ ଚର୍ଚ୍ଚାରେ ଥିବା ଏହି ପରୀକ୍ଷା ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛି। ଓଡ଼ିଶାର ଜଣେ NEET ଆଶାୟୀ ଛାତ୍ରୀ ତାଙ୍କ OMR ସିଟ୍‌ରେ ଅସଙ୍ଗତି ଓ ଏଥିରେ ହେରଫେର ହୋଇଥିବା ନେଇ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣିଥରେ NTA (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି)ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ, ସେ ପରୀକ୍ଷା ସମୟରେ ଯେଉଁ ଉତ୍ତରଗୁଡ଼ିକ ଦେଇଥିଲେ, ରେଜଲ୍ଟ ପରେ NTA ୱେବସାଇଟ୍‌ରେ ଦିଆଯାଇଥିବା OMR ସିଟ୍‌ରେ ତାହା ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଅନେକ ପ୍ରଶ୍ନର ଉତ୍ତର ବଦଳି ଯାଇଥିବା ଏବଂ କିଛି ସ୍ଥାନରେ ଟାମ୍ପରିଂ ହୋଇଥିବା ସନ୍ଦେହ କରାଯାଉଛି। ଛାତ୍ରୀଙ୍କ କହିବା ଅନୁଯାୟୀ, ସେ ମାନୁଆଲି ଯେଉଁ ସ୍କୋର କାଲ୍କୁଲେସନ୍ କରିଥିଲେ, ତା’ଠାରୁ ବାସ୍ତବ ରେଜଲ୍ଟରେ ବହୁତ କମ୍ ମାର୍କ ଆସିଛି। ଏହା ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିଥିଲା, ଯେଉଁଠାରେ ଛାତ୍ରଛାତ୍ରୀମାନେ ନିଜ OMR ସିଟ୍ ସ୍ୱାପ୍ କିମ୍ବା ପରିବର୍ତ୍ତନ ହୋଇଥିବା ନେଇ ଅଭିଯୋଗ କରିଥିଲେ।

 

NEET ଭଳି ଏକ ଜୀବନ ବଦଳାଇ ଦେଉଥିବା ପରୀକ୍ଷାରେ ଏଭଳି ଗଡ଼ବଡ଼ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ଓଡ଼ିଶାର ଏହି ଛାତ୍ରୀଙ୍କ ଅଭିଯୋଗ ପରେ ରାଜ୍ୟରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଅନେକ ଛାତ୍ରଛାତ୍ରୀ ଏବେ NTAର ସ୍ୱଚ୍ଛତା ଉପରେ ଆସ୍ଥା ହରାଇବାକୁ ବସିଲେଣି। ପୂର୍ବରୁ କିଛି ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଭୟ ଓ ଆଶଙ୍କା ପ୍ରକାଶ କରୁଥିବା ବେଳେ, ଏଭଳି ଘଟଣା ସେମାନଙ୍କ ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରିଦେଇଛି।

 

ପୂର୍ବରୁ ମଧ୍ୟ ଅନେକ ଛାତ୍ରୀ ଫଟୋଗ୍ରାଫ୍ ସହ OMR ଛିଣ୍ଡିଯାଇଥିବା କିମ୍ବା ବାରକୋଡ୍ ତ୍ରୁଟି ଥିବା ନେଇ ଅଭିଯୋଗ କରିଛନ୍ତି। ହେଲେ NTA ପ୍ରତ୍ୟେକ ଥର ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଅଭିଯୋଗଗୁଡ଼ିକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଆସୁଛି। କିନ୍ତୁ ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟରେ ଚାଲିଥିବା ଏସବୁ ମାମଲା ସୂଚାଉଛି ଯେ, ବ୍ୟବସ୍ଥାରେ କିଛି ନା କିଛି ବଡ଼ ତ୍ରୁଟି ରହିଛି।

Leave A Reply

Your email address will not be published.