Latest Odisha News

BREAKING NEWS

ଆକାଶମାର୍ଗରୁ ନଜର ରଖିବ ଡ୍ରୋନ୍, ପ୍ରସ୍ତୁତ ରହିଛି ‘ୱାର୍ ରୁମ୍’: ରଥଯାତ୍ରା ଭିଡ଼ ପାଇଁ ରେଳବାଇର ବ୍ଲୁ-ପ୍ରିଣ୍ଟ

ଭୁବନେଶ୍ୱର: ଦୁଲୁକିବ ବଡ଼ଦାଣ୍ଡ, ପୁରୀକୁ ଛୁଟିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଏହି ଅଦ୍ଭୂତପୂର୍ବ ସମାଗମକୁ ଆଖିଆଗରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ବ୍ୟାପକ ମାଷ୍ଟରପ୍ଲାନ୍। ସୁରକ୍ଷାଠାରୁ ଆରମ୍ଭ କରି ଯାତ୍ରୀ ସୁବିଧା, ଏବଂ ଅସମ୍ଭବ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ରେଳ ବିଭାଗ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ଯେପରି ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବେ ଦର୍ଶନ କରି ନିଜ ଘରକୁ ଫେରିବେ, ସେଥିପାଇଁ ଏକାଧିକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ସହ ପୁରୀ ଷ୍ଟେସନରେ ଏକ ସ୍ୱତନ୍ତ୍ର ‘ୱାର୍ ରୁମ୍’ ଖୋଲାଯାଇଛି।

 

ଉତ୍ସବ ସମୟରେ ଟ୍ରେନଗୁଡ଼ିକରେ ଉପୁଜିବାକୁ ଥିବା ପ୍ରବଳ ଗହଳିକୁ ସମ୍ଭାଳିବା ପାଇଁ ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରୁ ଏକାଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ବିଶେଷ କରି ଖୋର୍ଦ୍ଧା ରୋଡ୍, କଟକ, ରାଉରକେଲା, ବାଲେଶ୍ୱର, ସମ୍ବଲପୁର, ଅନୁଗୋଳ, ରାୟଗଡ଼ା, ଭଦ୍ରକ, ଢେଙ୍କାନାଳ, ଗୋନ୍ଦିଆ, ବିଶାଖାପାଟଣା ଓ ସାନ୍ତରାଗାଛି ଭଳି ପ୍ରମୁଖ ଷ୍ଟେସନଗୁଡ଼ିକରୁ ଏହି ଯୋଗାଯୋଗ ବ୍ୟବସ୍ଥା ରହିବ। ଯଦି ଭିଡ଼ ଆହୁରି ବଢ଼େ, ତେବେ ତୁରନ୍ତ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଟ୍ରାକକୁ ଓହ୍ଲାଇବା ପାଇଁ ବିଭାଗ ପ୍ରସ୍ତୁତ ରହିଛି।

 

ଏଥର ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି ତଥା ହାଇଟେକ୍ କରାଯାଇଛି। କୌଣସି ପ୍ରକାରର ଅଘଟଣକୁ ଏଡ଼ାଇବା ପାଇଁ ଷ୍ଟେସନ ପରିସରରେ ୨୫୦ଟି ସିସିଟିଭି (CCTV) କ୍ୟାମେରା ଖଞ୍ଜାଯିବା ସହ ଆକାଶମାର୍ଗରୁ କଡ଼ା ନଜର ରଖିବା ପାଇଁ ୪ଟି ଡ୍ରୋନ୍ ମୁତୟନ ହୋଇଛି।

 

ପରିସ୍ଥିତି ଉପରେ ସିଧାସଳଖ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ‘ୱାର୍ ରୁମ୍’ ଗଠନ କରାଯାଇଛି।

 

ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ୭୫୮ ଜଣ ଆରପିଏଫ୍ (RPF), ୧୫୦୦ ଜଣ ଜିଆରପି (GRP) ଏବଂ ୧୦୦ ଜଣ ସିଭିଲ୍ ଡିଫେନ୍ସ ଓ ସ୍କାଉଟ୍ ଗାଇଡ୍ ମୁତୟନ ହୋଇଛନ୍ତି।

 

ଏହା ସହିତ ୧୦ଟି ସ୍ନିଫର୍ କୁକୁର ଏବଂ ୩ଟି ଅଗ୍ନିଶମ ଗାଡ଼ି ସର୍ବଦା ସଜାଗ ରହିବେ।

 

ପୁରୀ ଷ୍ଟେସନରେ ହଠାତ୍ ଭିଡ଼ ବଢ଼ିଲେ ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ଏକାଥରକେ ୩୦ ହଜାର ଲୋକ ଅପେକ୍ଷା କରିପାରିବା ଭଳି ଏକ ବିଶାଳ ‘ମେଳା ସେଡ୍’ ନିର୍ମାଣ କରାଯାଇଛି। ଏଠାରେ ଏୟାର କୁଲିଂ ବ୍ୟବସ୍ଥା ସହ ଛାଇଯୁକ୍ତ ସ୍ଥାନର ସୁବିଧା ରହିଛି। ଭକ୍ତଙ୍କ ଆରାମଦାୟକ ଯାତ୍ରା ପାଇଁ ଷ୍ଟେସନରେ ବିପୁଳ ବ୍ୟବସ୍ଥା କରାଯାଇଛି:

 

ସ୍ୱାସ୍ଥ୍ୟ ଓ ପରିମଳ: ୧୨୯ଟି ମଡ୍ୟୁଲାର୍ ଶୌଚାଳୟ, ୬୮ଟି ଗାଧୁଆ ଘର, ୬୫ଟି ପାନୀୟ ଜଳ ବୁଥ୍ ଏବଂ ୧୦ଟି ଥଣ୍ଡା ପାନୀୟ ଜଳ ବୁଥ୍ ସ୍ଥାପନ କରାଯାଇଛି।

 

ଟିକେଟିଂ ବ୍ୟବସ୍ଥା: ଲାଇନରୁ ମୁକ୍ତି ଦେବା ପାଇଁ ୪୦ଟି ବୁକିଂ କାଉଣ୍ଟର, ୧୨ଟି ଅଟୋମେଟିକ୍ ଟିକେଟ୍ ମେସିନ୍ ଏବଂ ୩୨ଟି ମୋବାଇଲ୍ ଟିକେଟିଂ ମେସିନ୍ ସାମିଲ କରାଯାଇଛି। ଅନ୍ୟ ୨୧ଟି ଷ୍ଟେସନରେ ମଧ୍ୟ ଅତିରିକ୍ତ କାଉଣ୍ଟର ଖୋଲିବ।

 

ମାଗଣା ପ୍ରସାଦ ଓ ସେବା: ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ପ୍ରାୟ ୩.୫ ଲକ୍ଷ ଶ୍ରଦ୍ଧାଳୁଙ୍କୁ ମାଗଣା ଖାଦ୍ୟ ବଣ୍ଟନର ଲକ୍ଷ୍ୟ ରଖାଯାଇଛି। ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗମାନଙ୍କ ପାଇଁ ହ୍ୱିଲ୍ ଚେୟାର ଓ ବ୍ୟାଟେରୀ ଚାଳିତ ଗାଡ଼ିର ସୁବିଧା କରାଯାଇଛି।

 

ଷ୍ଟେସନକୁ ସଫାସୁତୁରା ରଖିବା ପାଇଁ ୪୩୦ ଜଣ ସଫେଇ କର୍ମଚାରୀଙ୍କୁ ଇଣ୍ଡଷ୍ଟ୍ରିଆଲ୍ ଭ୍ୟାକ୍ୟୁମ୍ କ୍ଲିନର ଏବଂ ଜେଟ୍ କ୍ଲିନିଂ ମେସିନ୍ ସହ ମୁତୟନ କରାଯାଇଛି। ଯାତ୍ରୀଙ୍କୁ ଟ୍ରେନ୍ ସମ୍ବନ୍ଧୀୟ ତୁରନ୍ତ ସୂଚନା ଦେବା ପାଇଁ ୧୫ଟି ଏଲଇଡି (LED) ଭିଡିଓ ୱାଲ୍ ଏବଂ ୬୦ଟି ପବ୍ଲିକ୍ ଆନାଉନ୍ସମେଣ୍ଟ ସ୍ପିକର ବ୍ୟବହାର କରାଯାଉଛି। ତେବେ ଚଳିତ ବର୍ଷ ନୂତନ ଟର୍ମିନାଲ୍ ବିଲ୍ଡିଂ ଏବଂ ଟୁରିଷ୍ଟ କମ୍ପ୍ଲେକ୍ସରେ ଅତିରିକ୍ତ ଦୁଇଟି ମହଲା ନିର୍ମାଣ ଯୋଗୁଁ ଯାତ୍ରୀଙ୍କ ଯିବାଆସିବା ପୂର୍ବ ଅପେକ୍ଷା ବହୁତ ସୁଗମ ହୋଇପାରିବ।

Leave A Reply

Your email address will not be published.