Bills for Monsoon Session: ସଂସଦର ମୌସୁମୀ ଅଧିବେଶନରେ ଆସିପାରେ ଏହି ୫ ନୂଆ ବିଲ୍, ସରକାରଙ୍କ ଏଜେଣ୍ଡାକୁ ନେଇ ବଢ଼ିଲା ଚର୍ଚ୍ଚା
ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଦିଲ୍ଲୀରେ ରାଜନୈତିକ ସରଗରମ ବଢ଼ିଛି। ଶାସକ ଓ ବିରୋଧୀ ଦଳ ମଧ୍ୟରେ ବୈଠକ ପରେ ବୈଠକ ଚାଲିଥିବା ବେଳେ, କେନ୍ଦ୍ର ସରକାର ଏହି ଅଧିବେଶନରେ କେଉଁ ବିଲ୍ ଆଣିପାରନ୍ତି ସେନେଇ ଏକ ତାଲିକା ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ସରକାର ଲୋକସଭାରେ ୫ଟି ନୂଆ ବିଲ୍ ଆଗତ କରିବାକୁ ବିଚାର କରୁଛନ୍ତି। ଯେଉଁଥିରେ ଆୟକର (ସଂଶୋଧନ) ବିଲ୍, ୨୦୨୬ – ଅଧ୍ୟାଦେଶର ସ୍ଥାନରେ ବିଲ୍, ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ବିଲ୍, ୨୦୨୬ – ଅଧ୍ୟାଦେଶକୁ ବଦଳାଇବା, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍, ୨୦୨୬, ଜାତୀୟ ସମ୍ମାନ ଅପମାନ ନିବାରଣ (ସଂଶୋଧନ) ବିଲ୍, ୨୦୨୬, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ବିକାଶ (ସଂଶୋଧନ) ବିଲ୍, ୨୦୨୬ ଭଳି ବିଲ୍ ରହିଛି ।
ଏହାବ୍ୟତୀତ ସରକାର ପୂର୍ବରୁ ଲୋକସଭାରେ ଆଗତ ହୋଇଥିବା ଦୁଇଟି ବିଲ୍ ଉପରେ ମଧ୍ୟ ବିଚାର କରିପାରନ୍ତି। ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୬, ଯାହା ଚଳିତ ବର୍ଷ ମାର୍ଚ୍ଚ ୨୫ରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା। ଏଥିସହିତ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, ୨୦୨୫, ଯାହାକୁ ଡିସେମ୍ବର ୧୫, ୨୦୨୫ରେ ଲୋକସଭାରେ ଆଗତ କରାଯାଇ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା।
ତେବେ ସରକାରଙ୍କ ତାଲିକାରେ ପରିସୀମନ (Delimitation) ବିଲ୍ କିମ୍ବା ‘ଏକ ଦେଶ, ଏକ ନିର୍ବାଚନ’ (One Nation, One Election) ବିଲ୍ର ଉଲ୍ଲେଖ ନଥିଲେ ମଧ୍ୟ ବିରୋଧୀ ଦଳ ଏହି ଦୁଇ ପ୍ରସ୍ତାବକୁ ନେଇ ଚର୍ଚ୍ଚା ଜୋରଦାର କରିଛନ୍ତି। କଂଗ୍ରେସ ସ୍ପଷ୍ଟ କରିଛି ଯେ ପରିସୀମନ ବିଲ୍କୁ ସେ ବିରୋଧ କରିବ।
ଅନ୍ୟପଟେ ମୌସୁମୀ ଅଧିବେଶନ ପାଇଁ କେନ୍ଦ୍ର ସରକାର ମଧ୍ୟ ପ୍ରସ୍ତୁତି ଜୋରଦାର କରିଛି। ଶୁକ୍ରବାର ସକାଳ ୧୧ଟାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (GoM)ର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଅଧିବେଶନର ରଣନୀତି ଓ ସମନ୍ୱୟ ନେଇ ଆଲୋଚନା ହୋଇଥିବା କୁହାଯାଉଛି ।
ସେପଟେ ବିରୋଧୀ ଦଳମାନେ ମଧ୍ୟ ବେକାରି, ଦରଦାମ ବୃଦ୍ଧି, ରାମମନ୍ଦିର ଚୋରି ଏବଂ NEET ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଅଧିବେଶନ ପୂର୍ବରୁ ଜୁଲାଇ ୧୯ରେ ବିରୋଧୀ ଦଳମାନଙ୍କ ବୈଠକ ମଧ୍ୟ ଡକାଯାଇଛି।