ଚଣ୍ଡିଗଡ: ଭାରତୀୟ ରେଳବାଇ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା। ପ୍ରଦୂଷଣମୁକ୍ତ ଅଭିଯାନ ଦିଗରେ ବଡ଼ ପଦକ୍ଷେପ ନେଇ ଭାରତ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନର ଶୁଭାରମ୍ଭ କରିଛି। ଏହା ଏପରି ଏକ ଟ୍ରେନ୍ ଯେଉଁଥିରେ ନା ଡିଜେଲ୍ ଦରକାର, ନା ଉପରେ କୌଣସି ବିଦ୍ୟୁତ୍ ତାରର ଆବଶ୍ୟକତା ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଟ୍ରେନ୍ ଗଡ଼ିଲେ ଇଞ୍ଜିନ୍ରୁ କଳା ଧୂଆଁ ବଦଳରେ କେବଳ ପାଣି ଏବଂ ବାଷ୍ପ ବାହାରିବ। ତେବେ ଆସନ୍ତୁ ଜାଣିବା ଭାରତର ଏହି ଅତ୍ୟାଧୁନିକ ‘ଗ୍ରୀନ୍ ଇଞ୍ଜିନ୍’ ପଛରେ ଥିବା ବିଜ୍ଞାନ ଓ ଜ୍ଞାନକୌଶଳ କିପରି କାମ କରେ।
ଏହି ଟ୍ରେନ୍ ସମ୍ପୂର୍ଣ୍ଣ ରୂପେ ‘ହାଇଡ୍ରୋଜେନ୍ ଫୁଏଲ୍ ସେଲ୍’ ଟେକ୍ନୋଲୋଜି ଉପରେ କାମ କରେ। ସାଧାରଣ ଟ୍ରେନ୍ ଭଳି ଏଥିରେ ଇନ୍ଧନ ପୋଡ଼ାଯାଏ ନାହିଁ। ବରଂ ଏକ ନିର୍ଦ୍ଦିଷ୍ଟ ରାସାୟନିକ ପ୍ରତିକ୍ରିୟା ଜରିଆରେ ବିଦ୍ୟୁତ୍ ଉତ୍ପାଦନ କରାଯାଏ।
ପ୍ରଥମ ପର୍ଯ୍ୟାୟ: ଟ୍ରେନ୍ର ସ୍ୱତନ୍ତ୍ର ଉଚ୍ଚ-ଚାପଯୁକ୍ତ ଟାଙ୍କିରେ ହାଇଡ୍ରୋଜେନ୍ ଗ୍ୟାସ୍ ଗଚ୍ଛିତ ରଖାଯାଇଥାଏ।
ଦ୍ୱିତୀୟ ପର୍ଯ୍ୟାୟ: ଯେତେବେଳେ ଟ୍ରେନ୍ ଷ୍ଟାର୍ଟ ହୁଏ, ଏହି ଗଚ୍ଛିତ ହାଇଡ୍ରୋଜେନ୍ ବାହାର ପବନରେ ଥିବା ଅମ୍ଳଜାନ ସହିତ ‘ଫୁଏଲ୍ ସେଲ୍’ ଭିତରେ ପ୍ରବେଶ କରେ।
ତୃତୀୟ ପର୍ଯ୍ୟାୟ: ଏଠାରେ ଏକ ରାସାୟନିକ ପ୍ରତିକ୍ରିୟା ଘଟି ବିଦ୍ୟୁତ୍ ଶକ୍ତି ଏବଂ ଉତ୍ତାପ ସୃଷ୍ଟି ହୋଇଥାଏ। ଏହି ସୃଷ୍ଟି ହୋଇଥିବା ବିଦ୍ୟୁତ୍ ଶକ୍ତି ଟ୍ରେନ୍ର ଇଲେକ୍ଟ୍ରିକ୍ ମୋଟରକୁ ଚଲାଇଥାଏ ଏବଂ ଟ୍ରେନ୍ ଆଗକୁ ବଢ଼େ।
ଚତୁର୍ଥ ପର୍ଯ୍ୟାୟ: ଏହି ପ୍ରକ୍ରିୟାରେ ବଳକା ଆବର୍ଜନା ବା ନିର୍ଗତ ପଦାର୍ଥ ଭାବରେ କେବଳ ଶୁଦ୍ଧ ଜଳୀୟ ବାଷ୍ପ ହିଁ ବାହାରକୁ ଆସିଥାଏ। ଏହା ସହିତ, ଟ୍ରେନ୍ରେ ଏକ ଲିଥିୟମ୍ ଆୟନ ବ୍ୟାଟେରୀ (LiFePO₄) ମଧ୍ୟ ଲାଗିଛି, ଯାହା ବଳକା ବିଦ୍ୟୁତ୍ ଶକ୍ତିକୁ ସଞ୍ଚୟ କରି ରଖେ ଏବଂ ଆବଶ୍ୟକ ବେଳେ ଟ୍ରେନ୍କୁ ଅତିରିକ୍ତ ଶକ୍ତି ଯୋଗାଏ।
ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହି ଟ୍ରେନ୍କୁ ହରିୟାଣାର ଜିନ୍ଦରୁ ସୋନିପତ୍ ରୁଟ୍ରେ ଚଳାଯିବ। ୮୯ କିଲୋମିଟର ଦୀର୍ଘ ଏହି ରାସ୍ତାରେ ଟ୍ରେନ୍ଟି ସର୍ବାଧିକ ୭୫ କି.ମି ପ୍ରତି ଘଣ୍ଟା ବେଗରେ ଚାଲିବ। ୮ଟି ପାସେଞ୍ଜର ବଗି ଏବଂ ୨ଟି ପାୱାର୍ କାର୍ ବିଶିଷ୍ଟ ଏହି ଟ୍ରେନ୍ଟି ଥରକେ ପ୍ରାୟ ୬୮୨ ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବ।
ଟ୍ରେନ୍ ପାଇଁ ଆବଶ୍ୟକ ଇନ୍ଧନ ଯୋଗାଇଦେବାକୁ ଜିନ୍ଦ ଷ୍ଟେସନଠାରେ ଏକ ସ୍ୱତନ୍ତ୍ର ହାଇଡ୍ରୋଜେନ୍ ରି-ଫୁଏଲିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ଏଠାରେ ‘ଇଲେକ୍ଟ୍ରୋଲାଇସିସ୍’ ପଦ୍ଧତିରେ ଅର୍ଥାତ୍ ବିଦ୍ୟୁତ୍ ବ୍ୟବହାର କରି ପାଣିରୁ ଉଦଜାନ ଓ ଅମ୍ଳଜାନକୁ ଅଲଗା କରାଯାଇ ‘ଗ୍ରୀନ୍ ହାଇଡ୍ରୋଜେନ୍’ ପ୍ରସ୍ତୁତ କରାଯିବ ଏବଂ ତାହାକୁ ସିଧାସଳଖ ଟ୍ରେନ୍ରେ ଇନ୍ଧନ ଭାବେ ଭର୍ତ୍ତି କରାଯିବ।
ବର୍ତ୍ତମାନ ଭାରତରେ ଚାଲୁଥିବା ଡିଜେଲ୍ ଇଞ୍ଜିନ୍ଗୁଡ଼ିକ ପ୍ରଚୁର ମାତ୍ରାରେ ଅଙ୍ଗାରକାମ୍ଳ ଛାଡୁଥିବା ବେଳେ, ଏହି ଶୂନ୍ୟ-ପ୍ରଦୂଷଣ ହାଇଡ୍ରୋଜେନ୍ ଟ୍ରେନ୍ ପରିବେଶକୁ ସୁସ୍ଥ ରଖିବାରେ ବଡ଼ ଭୂମିକା ଗ୍ରହଣ କରିବ। ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ଏବଂ ୨୦୭୦ ସୁଦ୍ଧା ଭାରତର ‘ନେଟ୍ ଜିରୋ’ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଜର୍ମାନୀ, ଜାପାନ ଓ ଚୀନ୍ ଭଳି ହାତଗଣତି ବିକଶିତ ଦେଶ ପରେ ଏବେ ଭାରତ ମଧ୍ୟ ଏହି ବିଶ୍ୱସ୍ତରୀୟ ଟେକ୍ନୋଲୋଜି କ୍ଲବ୍ରେ ସାମିଲ ହୋଇପାରିଛି।