Latest Odisha News

BREAKING NEWS

ମହାପ୍ରଭୁଙ୍କ ୪୦ ଟନ୍‌ର ବିଶାଳ ରଥରେ ଲାଗିଛି ଅତ୍ୟାଧୁନିକ ବ୍ରେକ୍, ଜାଣନ୍ତୁ କେମିତି କାମ କରେ ଏହି ନୂଆ ଜ୍ଞାନକୌଶଳ

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ତିନୋଟି ବିଶାଳକାୟ ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ତେବେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ଗଡ଼ିବାକୁ ଥିବା ପ୍ରାୟ ୪୦ ଟନ୍ ଓଜନର ଏହି ତିନି ରଥକୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କରିବା ସବୁବେଳେ ଏକ ବଡ଼ ଆହ୍ୱାନ ହୋଇଥାଏ। ଏହି ଆହ୍ୱାନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥଯାତ୍ରାରେ ରଥର ବ୍ରେକିଂ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ ଏବଂ ରାଜ୍ୟ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ବୈଷୟିକ ସହାୟତାରେ ତିନି ରଥ ପାଇଁ ଏକ ଅତ୍ୟାଧୁନିକ ତଥା ଉନ୍ନତମାନର ବ୍ରେକ୍ ପ୍ରସ୍ତୁତ କରାଯାଇଛି।

ପୂର୍ବରୁ ରଥର ଗତି ରୋକିବା ପାଇଁ ପ୍ରାୟ ୨୦ ଫୁଟ୍ ଲମ୍ବ ଏବଂ ଅଢେଇ ଫୁଟ୍ ଓସାରର ଏକ ବିଶାଳ ଶାଳ କାଠର ବ୍ୟବହାର କରାଯାଉଥିଲା, ଯାହାକୁ ଭୋଇ ସେବକମାନେ ଦଉଡ଼ି ସାହାଯ୍ୟରେ ନିୟନ୍ତ୍ରଣ କରୁଥିଲେ। କିନ୍ତୁ ଚଳିତ ବର୍ଷ ଏହି ପାରମ୍ପରିକ ଶାଳ କାଠର ବ୍ରେକ୍ ସହିତ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ‘ନାଇଲନ୍-ରବର ବେଲ୍ଟ’ ଖଞ୍ଜାଯାଇଛି।

ନାଇଲନ୍-ରବର ବେଲ୍ଟ: ବିଶ୍ୱକର୍ମା ମହାରଣାଙ୍କ ସୂଚନା ଅନୁଯାୟୀ, ତିନି ରଥର ବ୍ରେକିଂ ସିଷ୍ଟମ୍ ପାଇଁ ସମୁଦାୟ ୩୬ଟି ଖଣ୍ଡ ନାଇଲନ୍-ରବର ବେଲ୍ଟର ବ୍ୟବହାର କରାଯାଇଛି।

ଆକାର ଓ ମୋଟେଇ: ପ୍ରତ୍ୟେକ ବେଲ୍ଟର ଲମ୍ବ ୧ ଫୁଟ୍, ଓସାର ୯ ଇଞ୍ଚ ଏବଂ ମୋଟେଇ ୧୬ ମିଲିମିଟର ରହିଛି। ଏହାକୁ ସୁଦୃଢ଼ କରିବା ପାଇଁ ବେଲ୍ଟରେ କଟନ୍, ନାଇଲନ୍ ଏବଂ ରବରର ଏକାଧିକ ଲେୟାର୍ ଦିଆଯାଇଛି।

ଲୁହା କଣ୍ଟା: ବ୍ରେକ୍ ପକାଇବା ସମୟରେ ରାସ୍ତା ସହ ଘର୍ଷଣ ବଢ଼ାଇବା ପାଇଁ ବେଲ୍ଟରେ ପ୍ରାୟ ୧୫ କେଜି ଓଜନର ବଡ଼ ଲୁହା କଣ୍ଟା ଏବଂ ୫ କେଜି ଓଜନର ଛୋଟ କଣ୍ଟା ଖଞ୍ଜାଯାଇଛି। ଏହା ସହିତ ୩ କେଜିର ସ୍ୱତନ୍ତ୍ର ୱାସର୍ ମଧ୍ୟ ବ୍ୟବହାର କରାଯାଇଛି।

ଏହି ନୂଆ ପ୍ରଣାଳୀ ଯୋଗୁଁ ରଥର ବ୍ରେକ୍ ବହୁତ ଶକ୍ତିଶାଳୀ ହୋଇପାରିଛି। ଫଳରେ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ରଥକୁ ମୋଡ଼ ବୁଲାଇବା ବେଳେ ବା କୌଣସି ଜରୁରୀ ପରିସ୍ଥିତିରେ ସଡନ୍ ବ୍ରେକ୍ ଅଟକାଇବା ସମ୍ଭବ ହୋଇପାରିବ। ଏହାଦ୍ୱାରା ବ୍ରେକ୍ ଭାବେ ବ୍ୟବହୃତ ହେଉଥିବା କାଠ ମଧ୍ୟ ଶୀଘ୍ର ଘୃଷ୍ଟ ବା ନଷ୍ଟ ହେବ ନାହିଁ। ସାରଥିଙ୍କ ଠାରୁ ଇସାରା ପାଇବା ମାତ୍ରେ ବ୍ରେକ୍ ପରିଚାଳନା କରୁଥିବା ଭୋଇ ସେବକମାନେ ଅତି ସହଜରେ ବିଶାଳକାୟ ରଥର ଗତିକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିପାରିବେ।

ଏହାବ୍ୟତୀତ, ରଥ ଟାଣିବା ପାଇଁ ଓଡ଼ିଶା କୋୟର୍ କର୍ପୋରେସନ୍ ପକ୍ଷରୁ ଅତି ମଜଭୁତ ୨୮ଟି ସ୍ୱତନ୍ତ୍ର ଦଉଡ଼ି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପହଞ୍ଚିସାରିଛି, ଯାହାର ଲମ୍ବ ୨୨୦ ଫୁଟ୍ ରହିଛି।

Leave A Reply

Your email address will not be published.