ମୁମ୍ବାଇ: ବଲିଉଡର ଦୁଇ ଜଣାଶୁଣା ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଲାରା ଦତ୍ତ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଦୁହିଁଙ୍କର ନିକଟରେ ହୋଇଥିବା ଏହି ସାକ୍ଷାତର କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକ ପ୍ରାୟ ୨୬ ବର୍ଷ ପୁରୁଣା ବନ୍ଧୁତାର ସ୍ମୃତିକୁ ପୁଣି ଥରେ ତାଜା କରିଦେଇଛି। ପ୍ରଶଂସକମାନେ ମଧ୍ୟ ଦୁହିଁଙ୍କର ଏହି ରୀୟୁନିଅନ୍କୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ଏହା ଉପରେ ନିଜର ଭଲପାଇବା ଉଜାଡି ଦେଉଛନ୍ତି।
ଅଭିନେତ୍ରୀ ଲାରା ଦତ୍ତ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଦୁହେଁ ହସିହସି କ୍ୟାମେରା ସାମ୍ନାରେ ପୋଜ୍ ଦେଉଥିବାର ଦେଖାଯାଉଛି। ଏହି ଫଟୋ ସହ ଲାରା କ୍ୟାପସନରେ ଲେଖିଛନ୍ତି, “୨୬ ବର୍ଷ ପରେ ବି…” ଏବଂ ଏହା ସହ ଏକ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି। ଅନ୍ୟପଟେ ପ୍ରିୟଙ୍କା ଚୋପ୍ରା ମଧ୍ୟ ସମାନ ଫଟୋକୁ ନିଜ ଷ୍ଟୋରୀରେ ପୋଷ୍ଟ କରି ଲେଖିଛନ୍ତି, “ନିଜ ବେଷ୍ଟ ଫ୍ରେଣ୍ଡ୍ଗକୁ ଭେଟି ବହୁତ ଖୁସି ଲାଗିଲା।”
ଏହି ଭାଇରାଲ ଫଟୋରେ ପ୍ରିୟଙ୍କା ଚୋପ୍ରା ଏକ ଧଳା ରଙ୍ଗର ଷ୍ଟାଇଲିସ୍ ଡ୍ରେସରେ ନଜର ଆସିଥିବା ବେଳେ, ଲାରା ଦତ୍ତ ନୀଳ ରଙ୍ଗର ଡ୍ରେସ୍, ଧଳା ଶ୍ରଗ୍ ଏବଂ ହ୍ୟାଟ୍ ପିନ୍ଧିଥିବାର ଦେଖିବାକୁ ମିଳିଛି। ଦୁହିଁଙ୍କର ଏହି ଗ୍ଲାମରସ ଅନ୍ଦାଜ ସୋସିଆଲ ମିଡିଆ ୟୁଜର୍ସଙ୍କ ମନ ଜିଣିନେଇଛି।
ପ୍ରିୟଙ୍କା ଚୋପ୍ରା ଏବଂ ଲାରା ଦତ୍ତଙ୍କ ବନ୍ଧୁତା ବର୍ଷ ୨୦୦୦ରୁ ଆରମ୍ଭ ହୋଇଥିଲା। ଏହି ବର୍ଷ ପ୍ରିୟଙ୍କା ‘ମିସ୍ ୱାର୍ଲ୍ଡ’ ଏବଂ ଲାରା ଦତ୍ତ ‘ମିସ୍ ୟୁନିଭର୍ସ’ ଟାଇଟଲ୍ ଜିତି ସାରା ବିଶ୍ୱରେ ଭାରତର ନାଁ ରୋଶନ କରିଥିଲେ। ଏହାପରେ ଦୁହେଁ ବଲିଉଡରେ ପାଦ ଥାପିଥିଲେ ଏବଂ ନିଜ ଅଭିନୟ ଯାଦୁରେ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ରୂପେଲୀ ପରଦାରେ ମଧ୍ୟ ଏହି ଦୁଇ ଅଭିନେତ୍ରୀଙ୍କ କେମିଷ୍ଟ୍ରି ସୁପରହିଟ୍ ରହିଛି। ୨୦୦୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଅନ୍ଦାଜ୍’ରେ ଦୁହେଁ ପ୍ରଥମ ଥର ପାଇଁ ଏକାଠି କାମ କରିଥିଲେ, ଯେଉଁଥିରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିଲେ। ଏହାପରେ ୨୦୧୧ର ବ୍ଲକବଷ୍ଟର ଫିଲ୍ମ ‘ଡନ୍ ୨’ରେ ମଧ୍ୟ ପ୍ରିୟଙ୍କା ଏବଂ ଲାରାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ନିକଟରେ ୱିମ୍ବଲଡନ୍ ଟେନିସ୍ ଚାମ୍ପିଅନସିପ୍ ସମୟରେ ମଧ୍ୟ ଦୁହିଁଙ୍କର ରୀୟୁନିଅନ୍ ବେଶ୍ ଚର୍ଚ୍ଚାରେ ଥିଲା। ଆଉ ଏବେ ଏହି ନୂଆ ସାକ୍ଷାତକାର ପ୍ରମାଣ କରୁଛି ଯେ, ବ୍ୟସ୍ତବହୁଳ ପ୍ରଫେସନାଲ୍ ଲାଇଫ୍ ସତ୍ତ୍ୱେ ସେମାନଙ୍କ ବନ୍ଧୁତା ଆଜି ବି ପୂର୍ବ ଭଳି ମଜଭୁତ ଏବଂ ସ୍ପେଶାଲ ହୋଇ ରହିଛି।