ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀ ପୋଲିସ ବିକ୍ଷୋଭସ୍ଥଳରୁ ହଟାଇ ଦେଇଛି। ଚିକିତ୍ସା ପାଇଁ ଦିଲ୍ଲୀ ପୋଲିସ ତାଙ୍କୁ ଡାକ୍ତରଖାନା ନେଇଛି। ଗତ ୨୦ ଦିନ ହେବ ସୋନମ ୱାଙ୍ଗଚୁକ ଅନଶନରେ ବସିଥିଲେ। ଏହି ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଅଭିଜିତ ଦୀପକେଙ୍କୁ ମଧ୍ୟ ଅଟକ ରଖାଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଛି। ତାଙ୍କୁ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।
ଜୁନ୍ ୨୦ ତାରିଖରୁ CJP ଜନ୍ତର ମନ୍ତରରେ ପ୍ରତିବାଦ କରୁଛନ୍ତି। NEET ପରୀକ୍ଷାରେ ଅନିୟମିତତା, କଥିତ ପରୀକ୍ଷା ଦୁର୍ନୀତିର ନ୍ୟାୟିକ ତଦନ୍ତ ଏବଂ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଏହି ବିକ୍ଷୋଭ ଚାଲିଛି। ୱାଙ୍ଗଚୁକ ଜୁନ୍ ୨୮ ତାରିଖରେ ପ୍ରତିବାଦରେ ଯୋଗ ଦେଇଥିଲେ ଏବଂ ସେବେଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି।
ଅନ୍ୟପଟେ ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ କକରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ବଡ଼ ଦାବି କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବର ଟୱିଟର)ରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ପୋଲିସ ଜନ୍ତର-ମନ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିକ୍ଷୋଭକାରୀଙ୍କ ସହ ମାରପିଟ୍ କରିଛି ଏବଂ ସୋନମ ୱାଙ୍ଗଚୁକଙ୍କୁ ସେଠାରୁ ଜବରଦସ୍ତି ଉଠାଇ ନେଇଛି।
ଅଭିଜିତ ଦୀପକେ ନିଜ ପୋଷ୍ଟରେ ଲେଖିଛନ୍ତି, “ଦିଲ୍ଲୀ ପୋଲିସ ଜନ୍ତର-ମନ୍ତରରେ କାର୍ଯ୍ୟାନୁଷ୍ଠାନ କରୁଛି। ଲୋକଙ୍କ ସହ ମାରପିଟ୍ କରାଯାଉଛି ଏବଂ ସୋନମ ସାର୍ଙ୍କୁ ଜବରଦସ୍ତି ସେଠାରୁ ନିଆଯାଇଛି।” ତାଙ୍କର ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ସେ ଆହୁରି କହିଛନ୍ତି, ଦିଲ୍ଲୀ ପୋଲିସ ମତେ ମାଡ଼ ମାରିଛି ଏବଂ ପରେ ଅଟକ ରଖିଛି। ଆଜିଠାରୁ ମୁଁ ମୋର ଅନଶନ ଆରମ୍ଭ କରୁଛି ଏବଂ ୨୦ ଜୁଲାଇରେ ମାର୍ଚ୍ଚ ମଧ୍ୟ ହେବ।
ସେପଟେ ଘଟଣାକୁ ନେଇ ଦିଲ୍ଲୀ ପୋଲିସ ସ୍ପଷ୍ଟ ଭାବେ କହିଛି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ମେଡିକାଲ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ସୋନମ ୱାଙ୍ଗଚୁକଙ୍କ ବିଗୁଡ଼ୁଥିବା ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୋଲିସ ଜନ୍ତର-ମନ୍ତରରେ ଉପସ୍ଥିତ ଥିବା ବିକ୍ଷୋଭକାରୀମାନଙ୍କୁ ଯଥାଶୀଘ୍ର ଶାନ୍ତିପୂର୍ଣ୍ଣ ଭାବେ ସେଠାରୁ ଚାଲିଯିବାକୁ ଅପିଲ କରିଛି। ସୋନମ ୱାଙ୍ଗଚୁକଙ୍କୁ ଜନ୍ତର-ମନ୍ତରରୁ ହଟାଇ ଦିଲ୍ଲୀ ପୋଲିସ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଛି। ସେଠାରେ ଏବେ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ମଧ୍ୟ ପହଞ୍ଚି ଯାଇଛନ୍ତି।