Lahari Best Odia Film:ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର;ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ
ନୂଆଦିଲ୍ଲୀ:ଘୋଷଣା ହେଲା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ତେବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବାଜି ମାରିଛି ଓଡ଼ିଆ ଫିଲ୍ମ ଲହରୀ। ଯାହାକୁ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଝିଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା କରିଛନ୍ତି । ଏହି ସଫଳତା ଆଗାମୀ ଦିନରେ ଓଡ଼ିଆ ସିନେମାକୁ ଅଧିକ ଉଚ୍ଚତାରେ ପହଞ୍ଚାଇବାକୁ ନିଶ୍ଟୟ ପ୍ରେରଣା ଯୋଗାଇବ।
ସେହିପରି ଫିଲ୍ମ ‘ବ୍ରହ୍ମୟୁଗମ୍’ ପାଇଁ ମାମୁଟ୍ଟି ଏବଂ ‘ଚନ୍ଦୁ ଚାମ୍ପିଅନ’ ପାଇଁ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ଆର୍ଟିକିଲ୍-୩୭୦ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଘୋଷିତ ହୋଇଥିବା ବେଳେ ଏହି ଫିଲ୍ମ ପାଇଁ ୟାମି ଗୌତମ ହୋଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ। ଫିଲ୍ମ ‘କଲକି 2898 AD’ ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଫିଲ୍ମ ଏବଂ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ଘୋଷଣା ହୋଇଛି।
ସୂଚନାଥାଉକି, ଝିଲିକ ମୋସନ ପିକ୍ଚର ବ୍ୟାନରରେ ପ୍ରସ୍ତୁତ ହୋଇଛି ଚଳଚିତ୍ର ଲହରୀ । ସାମାଜିକ ଜୀବନର ମୂଳ ତତ୍ତ୍ୱ ସହ ନିଜକୁ ଯୋଡି ରଖିବା ଓ ବାପ ପୁଅର ସମ୍ପର୍କ ଉପରେ ଆଧାରିତ ଏହାର କାହାଣୀ। ଏଥିରେ ହସର ଲହରୀ ଯେମିତି, ଲୁହର ଲହରୀ ବି ସେମିତି ବାସ୍ତବଜୀବନର ଅନେକ ଉତ୍ଥାନ ପତନକୁ ଏଥିରେ ଚିତ୍ରିତ କରାଯାଇଛି । ଏଥିସହ ବିକାଶ ରାସ୍ତାରେ ବୟସ କେବେ ବାଧା ସାଜିପାରେନି ଏହି ବାର୍ତ୍ତା ନେଇ ଇକୋ ଟୁରିଜିମ ଦ୍ୱାରା ଗାଁର ଲୋକମାନେ କିଭଳି ବିକାଶ କରୁଛନ୍ତି ତାହା ମଧ୍ୟ ଚଳଚିତ୍ରରେ ଦର୍ଶାଯାଇଛି । ଫିଲ୍ମଟି କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ପରଦାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ।
ବିଭିନ୍ନ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ସ୍ମୃତି ମହଲା, ଦୀପାନ୍ୱିତ ଦାସ ମହାପାତ୍ର, ସୁଶାନ୍ତ ମିଶ୍ର, ହର ରଥ, ପ୍ରସେନଜିତ, ସ୍ୱସ୍ତିକ ଚୌଧୁରୀ, ଜେଇନଵ ଡୋଇୟର ପ୍ରମୁଖ ଅଭିନୟ କରିଛନ୍ତି । ଏଥିରେ ସଙ୍ଗୀତ ଦେଇଛନ୍ତି କିଶଳୟ ରୟ। କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ ଓ ନବ୍ୟା ଜାଇତି । ଶବ୍ଦସଜ୍ଜାରେ ଅଛନ୍ତି ଅଦୀପ ସିଂ ମାଣିକ ।