Ahmedabad Firecracker Factory: ଅବୈଧ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୮ ଜଣଙ୍କ ମୃତ୍ୟୁ,ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
ଅହମଦାବାଦ:ଶନିବାର ଦିନ ଗୁଜୁରାଟର ଅହମଦାବାଦ ସ୍ଥିତ ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ସହରର ମହମୁଦପୁର ଅଞ୍ଚଳରେ ଥିବା ଏକ ବେଆଇନ ବାଣ କାରଖାନାରେ ଏକ ଭୟଙ୍କର ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଛି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ପାଞ୍ଚ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ମହମୁଦପୁରା ଅଞ୍ଚଳରେ ଅବସ୍ଥିତ’ଟ୍ୟାଲେଣ୍ଟ ଫାୟାରୱାର୍କସ୍’ କାରଖାନାରେ ବିସ୍ଫୋରଣ ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖବର ପାଇବା ମାତ୍ରେ ଅନେକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ।
ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଧିକାରୀମାନେ କହିଛନ୍ତି ଯେ ଘଟଣାର କାରଣ ବିସ୍ତୃତ ତଦନ୍ତ ପରେ ହିଁ ଜଣାପଡ଼ିବ। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ କାରଖାନାରେ ଘଟିଥିବା ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମୃତାହତଙ୍କ ଖବର ଅତ୍ୟନ୍ତ ମର୍ମାହତକର ଏବଂ ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ତାଙ୍କର ସମବେଦନା ରହିଛି। ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକଙ୍କୁ ସମ୍ଭବପର ସମସ୍ତ ସହାୟତା ଯୋଗାଇ ଦେଉଛି।
ସେ ଆହୁରି ମଧ୍ୟ ଘୋଷଣା କରିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (PMNRF)ରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ।