Latest Odisha News

BREAKING NEWS

ବହୁଡ଼ାରେ ଭିଜିବ ଶ୍ରୀକ୍ଷେତ୍ର, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୨୨ରେ ଘୂର୍ଣ୍ଣିବଳୟ ଓ ୨୪ରେ ଲଘୁଚାପ

ଭୁବନେଶ୍ୱର: ପବିତ୍ର ବହୁଡ଼ା ଯାତ୍ରାରେ ଭିଜିବ ଶ୍ରୀକ୍ଷେତ୍ର। ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗାମୀ ଦିନରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବାକୁ ଯାଉଛି। ବିଶେଷ କରି ଆସନ୍ତା ୨୨ ତାରିଖରେ ଏକ ଘୂର୍ଣ୍ଣିବଳୟ ଏବଂ ୨୪ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ, ବହୁଡ଼ା ଯାତ୍ରା ସମୟରେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

 

ଶରତ ସାହୁଙ୍କ ସୂଚନା ମୁତାବକ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ସୀମାବର୍ତ୍ତୀ ଅଞ୍ଚଳରେ ୨୨ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅନୁକୂଳ ପରିବେଶ ରହିଛି। ଏହାର ପ୍ରଭାବରେ ୨୪ ତାରିଖରେ ଏକ ଲଘୁଚାପ କ୍ଷେତ୍ର ତିଆରି ହେବ। ଫଳରେ ୨୨ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ଏବଂ ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଅବ୍ୟାହତ ରହିବ।

 

ଆଗାମୀ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳ ପ୍ରଭାବିତ ହେବ। ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ସର୍ବାଧିକ ରହିବାକୁ ଥିବା ବେଳେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ମଧ୍ୟମରୁ ପ୍ରବଳ ଧରଣର ବର୍ଷା ଅନୁଭୂତ ହେବ। ବର୍ତ୍ତମାନ ରାଜ୍ୟ ଉପରେ ଏକ ମୌସୁମୀ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି। ଏହି କାରଣରୁ ଆଗାମୀ ଦୁଇ ଦିନ ଧରି ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ପ୍ରାୟ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇପାରେ।

 

ପାଣିପାଗ ବିଶେଷଜ୍ଞଙ୍କ ମତରେ, ଚଳିତ ଜୁଲାଇ ମାସ ତମାମ ପ୍ରାୟତଃ ପ୍ରତିଦିନ ରାଜ୍ୟରେ ବର୍ଷା ଲାଗିରହିବ। ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ପରିସ୍ଥିତି ସମ୍ପର୍କରେ ଆକଳନ କରାଯାଇଥିବା ବେଳେ, ଆସନ୍ତା ୨୭ ରୁ ୩୦ ତାରିଖ ମଧ୍ୟରେ ଆଉ ଏକ ପାଣିପାଗ ସିଷ୍ଟମ୍ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ଏହି ନୂଆ ସିଷ୍ଟମ୍‌ର ପ୍ରଭାବ ଏବଂ ଗତିପଥକୁ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିପାରିନାହିଁ।

Leave A Reply

Your email address will not be published.