Latest Odisha News

BREAKING NEWS

ରଥଯାତ୍ରା ଦଳାଚକଟା ଘଟଣାରେ ତେଜିଲା ରାଜନୀତି: ବିଚାର ବିଭାଗୀୟ ତଦନ୍ତ ସହ ୨ ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେଡି, ହୀନ ରାଜନୀତି କହିଲା ବିଜେପି

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଘଟିଥିବା ଦଳାଚକଟା ଓ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଦଳାଚକଟା ଘଟଣାରେ ପ୍ରଶାସନିକ ବିଫଳତାକୁ ଦାୟୀ କରି ଏହାର ଏକ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ଏଥିସହ ନୈତିକତା ଦୃଷ୍ଟିରୁ ରାଜ୍ୟ କ୍ୟାବିନେଟରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଅନ୍ୟପଟେ ବିଜେଡିର ଏହି ଅଭିଯୋଗର ଦୃଢ଼ ଜବାବ ରଖିଛି ଶାସକ ବିଜେପି।

 

ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା ଏବଂ ମୁଖପାତ୍ର ଲେଲିନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଦଳ ଅଭିଯୋଗ କରିଛି ଯେ, ରଥଯାତ୍ରା ଦଳାଚକଟାରେ ପ୍ରକୃତରେ କେତେ ଜଣଙ୍କର ମୃତ୍ୟୁ ହୋଇଛି, ସେହି ତଥ୍ୟକୁ ସରକାର ଲୁଚାଇବାକୁ ପ୍ରୟାସ କରୁଛନ୍ତି। ଦଳାଚକଟାରେ ଗୁରୁତର ହୋଇ ୪ ଜଣ ଶ୍ରଦ୍ଧାଳୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। କିନ୍ତୁ ସରକାର କେବଳ ୨ ଜଣଙ୍କ ମୃତ୍ୟୁକୁ ସ୍ୱୀକାର କରି ତୃତୀୟ ମୃତ୍ୟୁ ଉପରେ ନୀରବ ରହିଛନ୍ତି ବୋଲି ନେତା ଦ୍ୱୟ ପ୍ରକାଶ କରିଛନ୍ତି।

 

ରଥଯାତ୍ରା ପୂର୍ବରୁ ଘନ ଘନ ବୈଠକ କରାଯାଇଥିଲେ ସୁଦ୍ଧା ତାହା ବିଫଳ ସାବ୍ୟସ୍ତ ହୋଇଛି। ନିଜର ପ୍ରଶାସନିକ ତ୍ରୁଟିକୁ ଲୁଚାଇବା ପାଇଁ ଜଣେ ମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେଡି ସମାଲୋଚନା କରିଛି। ଏହା ସହିତ ଗତବର୍ଷ ଶରଧାବାଲିରେ ଘଟିଥିବା ଦଳାଚକଟା ଓ ପହଣ୍ଡି ବେଳେ ବଡ଼ଠାକୁର ବଳଭଦ୍ରଙ୍କ ପଡ଼ିଯିବା ଘଟଣାର ରିପୋର୍ଟ ଆଜି ପର୍ଯ୍ୟନ୍ତ କାହିଁକି ସାର୍ବଜନୀନ କରାଗଲା ନାହିଁ ବୋଲି ବିଜେଡି ପ୍ରଶ୍ନ ଉଠାଇଛି।

 

ବିଜେଡିର ଏହି ତୀବ୍ର ଆକ୍ରମଣର ପାଲଟା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ସେ କହିଛନ୍ତି ଯେ, ଯେଉଁମାନେ ଆଜି ବିଚାର ବିଭାଗୀୟ ତଦନ୍ତ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି, ସେମାନେ ପ୍ରଥମେ ନିଜର ଅତୀତ ଆଡ଼କୁ ଚାହିଁବା ଉଚିତ। କଟାକ୍ଷ କରି ମନୋଜ ମହାପାତ୍ର କହିଛନ୍ତି, “ବିରୋଧୀଙ୍କ ଶରୀର ଓଡ଼ିଶାରେ ଅଛି, କିନ୍ତୁ ମନ ଭାଟିକାନ୍ ସିଟିରେ ଘୂରି ବୁଲୁଛି।”

 

ରଥଯାତ୍ରା ଭଳି ଏକ ବିଶ୍ୱସ୍ତରୀୟ ମହାପର୍ବରେ ପ୍ରାୟ ୧୨ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ଏତେ ବଡ଼ ଆୟୋଜନକୁ ନେଇ ଗର୍ବ କରିବା ପରିବର୍ତ୍ତେ ବିରୋଧୀ ଦଳ ଯେଭଳି ବିବୃତ୍ତି ଦେଉଛି, ତାହା କେବଳ ଏକ ହୀନ ରାଜନୀତି। ବିଚାର ବିଭାଗୀୟ ତଦନ୍ତ କଥା ଉଠାଉଥିବା ବିଜେଡିର ନିଜ ସରକାର ଅମଳରେ ହୋଇଥିବା ଅନେକ ତଦନ୍ତର ଫାଇଲ୍ ଏବେ ନିଖୋଜ ଅଛି, ଯାହାର ଖୋଳତାଡ଼ ପୁଲିସ କରୁଛି ବୋଲି ବିଜେପି ମୁଖପାତ୍ର କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

 

ଉଭୟ ଦଳର ଏହି ଆରୋପ-ପ୍ରତ୍ୟାରୋପ ପରେ ରଥଯାତ୍ରା ବିଭ୍ରାଟକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଛି।

Leave A Reply

Your email address will not be published.