Latest Odisha News

BREAKING NEWS

ଦିଲ୍ଲୀରୁ ଆସିଲା ବଡ଼ ଖବର: ଅଗଷ୍ଟ ୩ରୁ ଓଡ଼ିଶାରେ ରାଷ୍ଟ୍ରପତି, ଟ୍ରେନ୍ ଯାତ୍ରା ପାଇଁ ଷ୍ଟେସନରେ ହାଇ-ଆଲର୍ଟ!

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ଅଗଷ୍ଟ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସେ ନିଜ ମାଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ହାଇପ୍ରୋଫାଇଲ୍ ଗସ୍ତ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଚୂଡ଼ାନ୍ତ ଖସଡ଼ା ପ୍ରସ୍ତୁତ ହୋଇସାରିଥିବା ବେଳେ ରାଜ୍ୟ ପ୍ରଶାସନ ତତ୍ପର ହୋଇଉଠିଛି। ଖୋର୍ଦ୍ଧା, କଟକ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମେତ ପୁଲିସ ଓ ରେଳବାଇ ବିଭାଗକୁ ସତର୍କ କରାଯିବା ସହ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

 

କାର୍ଯ୍ୟସୂଚୀ ଅନୁଯାୟୀ, ଗସ୍ତର ପ୍ରଥମ ଦିନ ଅର୍ଥାତ୍ ଅଗଷ୍ଟ ୩ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ଲୋକସେବା ଭବନରେ ରହିବେ। ଏହାପରେ ସେ କଟକ ଅଭିମୁଖେ ଯାତ୍ରା କରି ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଗସ୍ତର ଦ୍ୱିତୀୟ ଦିନଟି ବେଶ୍ ଆକର୍ଷଣୀୟ ହେବାକୁ ଯାଉଛି। ଅଗଷ୍ଟ ୪ ତାରିଖ ସକାଳେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ରେଳ ଷ୍ଟେସନ ଅଭିମୁଖେ ବାହାରିବେ। ସେଠାରେ ପହଞ୍ଚିବା ପରେ ସଡ଼କ ପଥରେ ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ସେହି ଦିନ ରାତିରେ ସେ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ କିମ୍ବା ଅନ୍ୟ କୌଣସି ନିର୍ଦ୍ଧାରିତ ସ୍ଥାନରେ ରାତ୍ରିଯାପନ କରିବେ। ଗସ୍ତର ଶେଷ ଦିନ ଅର୍ଥାତ୍ ଅଗଷ୍ଟ ୫ରେ ସେ ପୁଣି ବ୍ରହ୍ମପୁରରୁ ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱର ଫେରିବେ ଏବଂ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

 

ରାଷ୍ଟ୍ରପତିଙ୍କ ଏହି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ସବୁଠାରୁ ଅଧିକ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱର ଓ ବ୍ରହ୍ମପୁର ରେଳ ଷ୍ଟେସନରେ ଭିଭିଆଇପି ରୁଟ୍, କାର୍ଯ୍ୟକାରୀ ଗ୍ରୀନ୍ ରୁମ୍, ଏବଂ ସ୍ୱତନ୍ତ୍ର କୋଚ୍ ବ୍ୟବସ୍ଥା ଉପରେ ରେଳବାଇ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ରାଷ୍ଟ୍ରପତି ଭବନର ସବିଶେଷ ନିର୍ଦ୍ଦେଶାବଳୀ ଆଧାରରେ ପ୍ରୋଟୋକଲ୍, ସ୍ୱାସ୍ଥ୍ୟ ସେବା ଏବଂ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରି ରିପୋର୍ଟ ଦାଖଲ କରିବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.