ବଲାଙ୍ଗିର: ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଥରେ ତେଜିଛି ଅସନ୍ତୋଷର ନିଆଁ। ଲଗାଣ ବର୍ଷା ଯୋଗୁଁ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ତରଫରୁ ବୁଡ଼ି ଅଞ୍ଚଳରେ ତ୍ୱରିତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଉଚିତ୍ ଥଇଥାନ ଏବଂ କ୍ଷତିପୂରଣ ଦାବି କରି ପ୍ରାୟ ୮୪ଟି ପରିବାର ନିଜ ଭିଟାମାଟି ଛାଡ଼ିବାକୁ ରୋକଠୋକ ମନା କରିଦେଇଛନ୍ତି। ଫଳରେ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଲୋୟର ସୁକତେଲ ପ୍ରକଳ୍ପର ବିସ୍ଥାପିତମାନେ ସେମାନଙ୍କର ପ୍ରାପ୍ୟ ଅଧିକାର ପାଇଁ ଲଢ଼େଇ କରିଆସୁଛନ୍ତି। ବର୍ତ୍ତମାନ ବର୍ଷା ଦିନେ ହଠାତ୍ ଗାଁ ଖାଲି କରିବାକୁ ପ୍ରଶାସନ ପକ୍ଷରୁ ବାଧ୍ୟ କରାଯିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଓ ତୀବ୍ର ଅସନ୍ତୋଷ ଖେଳିଯାଇଛି।
ଆନ୍ଦୋଳନରତ ୮୪ ପରିବାରର ଅଭିଯୋଗ ହେଉଛି ଯେ ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଏବଂ ଥଇଥାନର ସୁବିଧା ଏଯାଏଁ ଯୋଗାଇ ଦିଆଯାଇନାହିଁ। ବିନା କ୍ଷତିପୂରଣରେ ଛୋଟ ଛୋଟ ପିଲା ଏବଂ ବୟସ୍କମାନଙ୍କୁ ଧରି ସେମାନେ ଏହି ବର୍ଷାରେ କୁଆଡ଼େ ଯିବେ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଜଳସ୍ତର ବଢ଼ୁଥିବାରୁ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ସ୍ଥାନାନ୍ତର ଜରୁରୀ ବୋଲି ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି।
ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବୁଡ଼ି ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗୋଟିଏ ପଟେ ପୁଲିସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ବେଳେ ଅନ୍ୟପଟେ କାନ୍ଦ ବୋବାଳି ଓ ପ୍ରତିବାଦର ସ୍ୱରରେ ଫାଟି ପଡ଼ୁଛି ପରିବେଶ।