ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପୁଣି ଆହୁରି ୨ଟି ସ୍ଲୁଇସ ଗେଟ୍ ଖୋଲାଯାଇ । ଏହାକୁ ମିଶାଇ ମୋଟ ୧୦ଟି ଗେଟ୍ରେ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ କରାଯାଉଛି ।
ମୋଟ ୧୦ଟି ସ୍ଲୁଇସ୍ ଗେଟ୍ (ବାମ ପାର୍ଶ୍ବର ୭ ଓ ଡାହାଣ ପାର୍ଶ୍ବର ୩ଟି) ଦେଇ ବନ୍ୟାପାଣି ମହାନଦୀକୁ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୩ ଦଶମିକ ୩୯ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୨୦୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ, ବିଭିନ୍ନ ମାର୍ଗ ଦେଇ ଜଳଭଣ୍ଡାରରୁ ୧ ଲକ୍ଷ ୮୬ ହଜାର ୧୩୩ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି ।
ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୨୫.୦୫ ମିଲିମିଟର୍ ଏବଂ ତଳ ମୁଣ୍ଡରେ ୧୮.୨୭ ମିଲିମିଟର୍ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ ।
ସୂଚନା ଯୋଗ୍ୟ, ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇ ୧୦ଟି ସ୍ଲୁଇସ ଗେଟ ଖୋଲା ଯାଇଥିଲା ଓ ଗତ ୧୪ ତାରିଖରେ ସମସ୍ତ ଗେଟକୁ ବନ୍ଦ କରି ଦିଆଯାଇଥିଲା । ଏବେ ମୋଟ ୧୦ଟି ସ୍ଲୁଇସ ଗେଟ ଜରିଆରେ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି ।