ନୂଆଦିଲ୍ଲୀ: ବାରମ୍ବାର ବିଶ୍ରାମ ଦେବା ସତ୍ୱେ ଏବେ ଭାରତୀୟ କ୍ରିକେଟ ଟିମ ଖେଳାଳିଙ୍କ ଆଘାତ ସମସ୍ୟା ନେଇ ଚିନ୍ତାରେ ପଡିଛି । ରିପୋର୍ଟ ମୁତାବକ ଏବେ ଦଳର ୬ ପ୍ରମୂଖ ଖେଳାଳି ଏହି ସମସ୍ୟାରେ ପଡିଛନ୍ତି । ସେଂଟର ଅଫ ଏକ୍ସିଲେନ୍ସିରେ ଆଘାତ ଖେଳାଳିଙ୍କ ଭୀଡ ବଢ଼ିବାରେ ଲାଗିଛି । ସପ୍ତାହକ ମଧ୍ୟରେ ସିଓଇରେ ୧୨ ଖେଳାଳି ପଂହଚି ପାରନ୍ତି । ସେମାନେ ଫିଟନେସସ୍ତର ସୁଧାରିବା ପାଇଁ ଏଠାକୁ ଆସିବେ । ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ, ବରୁଣ ଚକ୍ରବର୍ତି, ୱାଶିଂଟନ ସୁନ୍ଦର, ଆକାଶଦୀପ, ମହମ୍ମଦ ସିରାଜ, ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଆଉ କେତେକ ଖେଳାଳି ଆଘାତ ସମସ୍ୟାରେ ପଡିଛନ୍ତି ।
ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ହର୍ଷିତ ରାଣା ଓ ସୁନ୍ଦର ସମ୍ପୂର୍ଣ୍ଣ ଫିଟ ନ ଥିବା ସତ୍ୱେ ସେମାନଙ୍କୁ ଦଳରେ ସାମିଲ କରାଯାଇଥିଲା । ଖରାପ ଫିଟନେସ ଯୋଗୁ ଭାରତର ଫିଲ୍ଡିଂ ସ୍ତର ଖସିଛି । ଯାହାକି ସୀମିତ ଓଭର ମ୍ୟାଚରେ ଦେଖିବାକୁ ମିଳିଛି । ରୋଟେଶନ ଭିତିରେ ଏବଂ ବାରମ୍ବାର ବିଶ୍ରାମ ଦିଆଯିବା ସତ୍ୱେ ସମ୍ପୂର୍ଣ୍ଣ ଫିଟ ଖେଳାଳିଙ୍କୁ ନେଇ ଦଳ ତିଆରି କରାଯାଇ ପାରୁ ନ ଥିବାରୁ ପୂର୍ବତନ କ୍ରିକେଟରମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।