ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ଆଜି ଠାରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୪ ଏବଂ ୨୫ ଜୁଲାଇ ରେ ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ୩୫-୪୫ କିମି ଘଣ୍ଟାରୁ ୫୫ କିମି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି। ୨୬ ଏବଂ ୨୭ ଜୁଲାଇରେ ଓଡ଼ିଶା ଉପକୂଳ ଏବଂ ଏହାର ସଂଲଗ୍ନ ସମୁଦ୍ର ଅଞ୍ଚଳରେ ୪୦-୫୦ କିମି ଘଣ୍ଟାରୁ ୬୦ କିମି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି।
୨୪ ରୁ ୨୭ ଜୁଲାଇ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବ। ଏହି ସମୟରେ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। କାରଣ ମାଛଧରା ଡଙ୍ଗା ଓ ଟ୍ରଲର ଚଳାଚଳ ପାଇଁ ବିପଦଜନକ ହୋଇପାରେ।
ଯେଉଁ ମତ୍ସ୍ୟଜୀବୀମାନେ ପୂର୍ବରୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି, ସେମାନଙ୍କୁ ଶୀଘ୍ର ଉପକୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଶାସନ, ମତ୍ସ୍ୟ ବିଭାଗ ଓ ବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ସତର୍କ ରହିବା ସହ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।