ଭୁବନେଶ୍ୱର: ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ଅଘଟଣ। ଜଣେ ଭକ୍ତଙ୍କ ପ୍ରାଣହାନୀ ହୋଇଥିବା ଦାବି କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ତରଫରୁ ଖବର ଲେଖା ହେବାଯାଏଁ କୌଣସି ସ୍ପଷ୍ଟ କରାଯାଇ ନାହିଁ।
ଏକ୍ସରେ ନିଜର ଶୋକବାର୍ତ୍ତା ଛାଡ଼ିବା ସହିତ ପ୍ରଶାସନର ଖାମଖିଆଲି ନୀତି ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ରଥଯାତ୍ରା ଭଳି ଏକ ବିଶ୍ୱସ୍ତରୀୟ ମହାପର୍ବ ପରିଚାଳନାରେ ସରକାର ଏତେ ଖାମଖିଆଲି କାହିଁକି? ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳା ଓ ସୁରୁଖୁରୁରେ ସମାପନ କରିବା ଦିଗରେ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଅତ୍ୟନ୍ତ ଉଦ୍ବେଗଜନକ ବୋଲି ନବୀନ କହିଛନ୍ତି।
ସେ ଲେଖିଛନ୍ତି, ଲାଗୁଛି ଯେମିତି ଅତୀତର ତ୍ରୁଟିରୁ ଶିଖିବାର ଇଚ୍ଛାଶକ୍ତି ଏହି ସରକାରଙ୍କର ଆଦୌ ନାହିଁ। ପ୍ରତିବର୍ଷ ଘୋଷଯାତ୍ରା ସମୟରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି, ଅକାଳରେ ଲୋକଙ୍କ ଜୀବନ ଯାଉଛି ଏବଂ ସାରା ବିଶ୍ୱରେ ରାଜ୍ୟର ବଦନାମ ମଧ୍ୟ ହେଉଛି। ତଥାପି ସରକାରୀ କାର୍ଯ୍ୟଶୈଳୀରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ଭୁଲକୁ ସୁଧାରିବା ପରିବର୍ତ୍ତେ ସବୁକିଛି କେବଳ ‘କାମଚଳା ନୀତି’ରେ ଚାଲିଥିବା ଭଳି ପ୍ରତୀୟମାନ ହେଉଛି।
ଆଜି ସୁନାବେଶ। ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଦେବନୀତି ବାକି ରହିଛି। ବିନା କୌଣସି ତ୍ରୁଟିବିଚ୍ୟୁତିରେ ଏହି ସବୁ ନୀତିକାନ୍ତି କିଭଳି ସମ୍ପନ୍ନ ହେବ, ସେଥିପ୍ରତି ପ୍ରଶାସନ ଏବେଠାରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ନବୀନ ଦାବି କରିଛନ୍ତି।