ପୁରୀ:ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦିରେ ନଅଦିନର ଲୀଳାଖେଳା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ଆଜି ଶରଧାବାଲିରୁ ସିଂହଦ୍ବାରକୁ ବାହୁଡ଼ିଛନ୍ତି। ବାହୁଡ଼ା ଯାତ୍ରା ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର। ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ରଥ ପଥ। ଏପଟେ ପବିତ୍ର ବାହୁଡ଼ାଯାତ୍ରା ସନ୍ଧ୍ୟାରେ ଶ୍ରୀନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜଙ୍କ ମଧ୍ୟସ୍ଥତା ପରେ ନବ ଦିନାତ୍ମକ ଯାତ୍ରା ସାରି ଫେରିଥିବା ମହାପ୍ରଭୁଙ୍କୁ ଆଜି ମା’ ଲକ୍ଷ୍ମୀ ଦେଖା ଦେଇଛନ୍ତି। ।
ନଅ ଦିନ ହେଲା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନଥିବା ମା’ ଲକ୍ଷ୍ମୀ ଆଜି ମା’ ବିମଳାଙ୍କ ଅନୁରୋଧ ରକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି ମାନଭଞ୍ଜନର ମଧ୍ୟସ୍ଥି ସାଜିଛନ୍ତି। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀମନ୍ଦିରରୁ ସୁସଜ୍ଜିତ ବିମାନରେ ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ରାଜନଅରଠାରେ ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ପୁନର୍ବାର ଶ୍ରୀମନ୍ଦିର ଫେରି ଯାଇଛନ୍ତି।
ସୂଚନାଥାଉକି, ପ୍ରାୟ ରାତି ୧୧ଟା ସୁଦ୍ଧା ତିନି ରଥ ସିଂହଦ୍ବାରରେ ଲାଗିଛି । ବାହୁଡ଼ା ଯାତ୍ରାରେ ଖୁବ୍ ଆନନ୍ଦ ଉତ୍ସାହରେ ଭକ୍ତମାନେ ତିନି ରଥକୁ ଟାଣିନେଇଥିଲେ ସିଂହଦ୍ବାର ନିକଟକୁ। ଶନିବାର ମହାପ୍ରଭୁ ଦୁର୍ଲଭ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ।
ସୂଚନାଥାଉକି,ଶନିବାର‘ସୁନାବେଶ’ର ଆୟୋଜନ ହେବ। ବର୍ଷକ ମଧ୍ୟରେ ମହାପ୍ରଭୁଙ୍କର ୫ଥର ସୁନାବେଶ ହେଉଥିଲେ ମଧ୍ୟ ରଥ ଉପରେ ଆୟୋଜିତ ସୁନାବେଶ ଅଧିକ ଆକର୍ଷଣୀୟ। ରଥାରୁଢ଼ ସୁନାବେଶକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି।
ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସ୍ଵତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା ମଧ୍ୟ ହୋଇଛି ।