Latest Odisha News

BREAKING NEWS

ଖୋଲାଖୋଲି ଲୁଟ୍! ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ RI

କେନ୍ଦ୍ରାପଡ଼ା: ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ଭିଜିଲାନ୍ସ ବିଭାଗ ନିଜର ରହିଛି । ତଥାପି କିଛି ଲାଞ୍ଚୁଆ ବାବୁ ଏଥିରୁ ଶିକ୍ଷା ଲାଭ ନକରି ସାଧାରଣ ଲୋକଙ୍କୁ ଶୋଷଣ କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ରାଜସ୍ୱ ନିରୀକ୍ଷିକା (RI) ନିଜ କ୍ଷମତାର ଅପବ୍ୟବହାର କରି ଗରିବ ଲୋକଙ୍କଠାରୁ ଲାଞ୍ଚ ଆଦାୟ କରୁଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଜମିର ମ୍ୟୁଟେସନ୍ ଓ ପଟ୍ଟା ପ୍ରଦାନ ପାଇଁ ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେ ହାତରେ ଧରିଛି।

 

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ତହସିଲ ଅଧୀନ କାଉପଡା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷିକା ସାଇ ପ୍ରିୟଦର୍ଶିନୀ ଲେଙ୍କାଙ୍କ ନାମରେ ଏହି ଅଭିଯୋଗ ଆସିଥିଲା। କାଉପଡା ଗ୍ରାମର ଅନାମ ଚରଣ ଓଝା ନାମକ ଜଣେ ବ୍ୟକ୍ତି କିଛି ବର୍ଷ ତଳେ ଖଣ୍ଡିଏ ଜମି କିଣିଥିଲେ ଏବଂ ତାହାର ମ୍ୟୁଟେସନ୍ କରିବା ପାଇଁ ଆବେଦନ କରିଥିଲେ। କିନ୍ତୁ ଆରଆଇ ମ୍ୟାଡମ୍ ଅନୁକୂଳ ରିପୋର୍ଟ ଦେବା ଏବଂ ପଟ୍ଟା କରାଇଦେବା ବାହାନାରେ ପ୍ରଥମେ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ପରେ ଏହାକୁ ୫,୫୦୦ ଟଙ୍କାକୁ କମାଯାଇଥିଲା।

 

ଆରଆଇଙ୍କ ଏଭଳି ହଇରାଣ ହରକତରେ ଅତିଷ୍ଠ ହୋଇ ଶେଷରେ ଅନାମ ଓଝା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ, ଅଭିଯୋଗକାରୀଙ୍କ ଠାରୁ ପୂର୍ବ ନିର୍ଦ୍ଧାରିତ ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ାଉ କରି ଆରଆଇଙ୍କୁ କାବୁ କରିଥିଲା। ତାଙ୍କ ପାଖରୁ ରସାୟନ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି।

 

ଗିରଫ ପରେ ଆରଆଇ ଲେଙ୍କାଙ୍କ ଆୟବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି।

Leave A Reply

Your email address will not be published.