Latest Odisha News

BREAKING NEWS

ପେଟ୍ରୋଲ-ଡିଜେଲ ଦର ବଢ଼ିବା ନେଇ ବଢ଼ିଲା ଆଶଙ୍କା! ବିଶ୍ୱ ବଜାରରେ ୧୦୦ ଡଲାର ଛୁଇଁଲା କ୍ରୁଡ୍ ଅଏଲ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ (କ୍ରୁଡ୍ ଅଏଲ) ଦର। ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଓ ଉତ୍ତେଜନା କାରଣରୁ ବିଶ୍ୱ ବଜାରରେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି, ଯାହାର ପ୍ରଭାବ ସିଧାସଳଖ ତୈଳ ଦର ଉପରେ ପଡ଼ିଛି। ଦୀର୍ଘ ଦିନ ପରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ମାର୍କ ଛୁଇଁଛି। ଏହି ଖବର ସାମ୍ନାକୁ ଆସିବା ପରେ ଭାରତୀୟ ଗ୍ରାହକଙ୍କ ମନରେ ଛନକା ପଶିଛି। କାରଣ ଯଦି ବିଶ୍ୱ ବଜାରରେ ଦର ଏଭଳି ଉଚ୍ଚାରେ ରହେ, ତେବେ ଖୁବଶୀଘ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ନିଆଁ ଲାଗିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

 

ତେବେ ଆଜି ପାଇଁ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ଜାରି କରାଯାଇଥିବା ନୂତନ ତାଲିକା ଅନୁଯାୟୀ, ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ମହାନଗରୀରେ ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅର୍ଥାତ୍ ଅନ୍ତର୍ଜାତୀୟ ବଜାରରେ ନିଆଁ ଲାଗିଥିଲେ ମଧ୍ୟ ଦେଶର ସାଧାରଣ ଖାଉଟିଙ୍କ ଉପରେ ଏବେ ସୁଦ୍ଧା ଏହାର ସିଧାସଳଖ ବୋଝ ପଡ଼ିନାହିଁ। ସାରା ଦେଶରେ ତୈଳ ଦର ପ୍ରାୟତଃ ସ୍ଥିର ରହିଛି।

 

ବିଶେଷ କରି ଲୋହିତ ସାଗର ଅଞ୍ଚଳରେ ଜାହାଜ ଉପରେ ହେଉଥିବା ଆକ୍ରମଣ ଏବଂ ପଶ୍ଚିମ ଏସିଆରେ ଲାଗି ରହିଥିବା ସାମରିକ ତିକ୍ତତା ଯୋଗୁଁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ଏହି ଭୌଗୋଳିକ ତଥା ରାଜନୈତିକ ଅସ୍ଥିରତା କାରଣରୁ ନିବେଶକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଫଳସ୍ୱରୂପ ବ୍ରେଣ୍ଟ କ୍ରୁଡ୍ ଦର ହଠାତ୍ ବୃଦ୍ଧି ପାଇ ୧୦୦ ଡଲାର ଅତିକ୍ରମ କରିଯାଇଥିଲା। ଏହାର ପ୍ରଭାବ କେବଳ ତୈଳ ବଜାରରେ ସୀମିତ ନାହିଁ, ବରଂ ଭାରତୀୟ ସେୟାର ବଜାର ଉପରେ ମଧ୍ୟ ପଡ଼ିଛି। ନିବେଶକଙ୍କ ମଧ୍ୟରେ ଭୟର ବାତାବରଣ ଯୋଗୁଁ ସେନସେକ୍ସ ଓ ନିଫ୍ଟି ଭାରି ମାତ୍ରାରେ ତଳକୁ ଖସିଥିବା ଦେଖିବାକୁ ମିଳିଛି।

 

ଯଦିଓ ବର୍ତ୍ତମାନ ଭାରତରେ ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ଦରକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛନ୍ତି, କିନ୍ତୁ ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଯଦି କ୍ରୁଡ୍ ଅଏଲ୍ ୧୦୦ ଡଲାର ଆଖପାଖରେ ଅଧିକ ଦିନ ଧରି ରହେ, ତେବେ ତୈଳ କମ୍ପାନୀଗୁଡ଼ିକ ଉପରେ ଆର୍ଥିକ ଚାପ ବଢ଼ିବ। ଏଭଳି ସ୍ଥିତିରେ ବାଧ୍ୟ ହୋଇ ଖୁବଶୀଘ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇପାରେ।

Leave A Reply

Your email address will not be published.