PM Modi’s Instagram Strategy: ଫ୍ରଣ୍ଟ କ୍ୟାମେରାରେ ଭିଡିଓ, ରାତି ୧୨ ଟାରେ ପୋଷ୍ଟ, ‘ମିତ୍ରୋ’ରୁ ‘ଫ୍ରେଣ୍ଡସ୍’… Gen-Zଙ୍କ ପାଇଁ ବଦଳୁଛନ୍ତି ପିଏମ୍ ମୋଦୀ?
ନୂଆଦିଲ୍ଲୀ: ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ପରିଚୟ ଥିଲା ବିଶାଳ ଜନସଭା, ରେଡିଓରେ ‘ମନ କି ବାତ’, ଏକ୍ସରେ ସନ୍ଦେଶ ଏବଂ ପ୍ରତ୍ୟେକ ଭାଷଣର ଆରମ୍ଭରେ ଗୋଟିଏ ଶବ୍ଦ ” ପ୍ୟାରେ ମିତ୍ରୋ(ପ୍ରିୟର ବନ୍ଧୁ)…”। କିନ୍ତୁ ଦୁଇ ଦିନ ହେଲାଣି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାହା ହେଉଛି ତାଙ୍କର ଇନଷ୍ଟାଗ୍ରାମ ଭିଡିଓ । ଏବେ ଲମ୍ବା ଭାଷଣ ନୁହେଁ, ଛୋଟ ଛୋଟ ରିଲ୍ସ, ଫାଷ୍ଟ ଫେସ୍ ଭିଡିଓ, ଇନଷ୍ଟାଗ୍ରାମ ପୋଷ୍ଟ ଏବଂ ତାର ଫଲୋଅପ୍ ଓ ଯୁବପିଢ଼ିଙ୍କ ଭାଷାରେ ସନ୍ଦେଶ ଉପରେ ଅଧିକ ଗୁରୁତ୍ୱ ଦେଖାଯାଉଛି। ପ୍ରଶ୍ନ ହେଉଛି, କ’ଣ GenZଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ବଦଳାଉଛନ୍ତି, ନା ସମୟର ଚାହିଦାକୁ ବୁଝି ରଣନୀତି ବଦଳାଉଛନ୍ତି?
ସବୁଠୁ ବଡ କଥା ହେଉଛି, ବର୍ତ୍ତମାନ ଦେଶରେ ଛାତ୍ର ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ଏଠି ଯୁବ ଗୋଷ୍ଠୀଙ୍କର ଆଚରଣ, ବ୍ୟବହାର ଏବଂ କଥାବାର୍ତ୍ତାର ଶୈଳୀ ଇଣ୍ଟରନେଟକୁ ବାନ୍ଧି ରଖିଛି । ଆଉ ସମାନ ଶୈଳୀରେ ପିଏମ୍ ମୋଦୀଙ୍କର ରିଲ୍ସ ମଧ୍ୟ ଚର୍ଚ୍ଚା ସାଉଁଟୁଛି । ଯାହା ୨୪ ଘଣ୍ଟାରେ ବିଶ୍ୱ ରେକର୍ଡ କରିଛି । ପେପର ଲିକକୁ ନେଇ ଇନଷ୍ଟାଗ୍ରାମରେ PM ମୋଦୀଙ୍କ ଭିଡିଓକୁ ୩୦ କୋଟିରୁ ଅଧିକ ଭ୍ୟୁ ହାସଲ କରିଛି । ଖାଲି ସେତିକି ନୁହେଁ, ସମ୍ପ୍ରତି କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରୀମାନଙ୍କୁ ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହିବା ଓ ନିୟମିତ ଭାବେ ରିଲ୍ସ ବନାଇବାକୁ ପରାମର୍ଶ ଦେଇଛନ୍ତି । ସୋସିଆଲ ମିଡିଆରେ ନିୟମିତ ଆକ୍ଟିଭ୍ ରୁହନ୍ତୁ, ଯୁବପିଢିଙ୍କ ପରାମର୍ଶକୁ ବିଚାରକୁ ନିଅନ୍ତୁ, ଆଉ ନିୟମିତ ଇଣ୍ଟନେଟରେ ଏହାର ଅପଡେଟ୍ ବି ନେଇ ଯୁବପିଢିଙ୍କ ସହ ଯୋଗାଯୋଗରେ ରୁହନ୍ତୁ ବୋଲି ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୋଦୀ ।
କାହିଁକି ଫୋକସରେ Gen-Z?
ଆଜିର ଯୁବପିଢ଼ି ଫେସବୁକ୍ କିମ୍ବା ଏକ୍ସ ଅପେକ୍ଷା ଇନଷ୍ଟାଗ୍ରାମରେ ଅଧିକ ସମୟ ବିତାଉଛନ୍ତି। ଭାରତରେ ପ୍ରାୟ ୪୨ କୋଟି ଇନଷ୍ଟାଗ୍ରାମ ୟୁଜର୍ସ ଥିବା ବେଳେ ସେଥିରୁ ବଡ଼ ଅଂଶ ୧୮ରୁ ୩୦ ବର୍ଷ ବୟସର। ଏହି ବର୍ଗ ଆସନ୍ତା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇପାରେ। ସେଥିପାଇଁ ରାଜନୀତି ମଧ୍ୟ ସେହି ପ୍ଲାଟଫର୍ମକୁ ଆଡକୁ ଯାଉଛି, ଯେଉଁଠି ଭୋଟର ଅଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ପ୍ରଧାନମନ୍ତ୍ରୀଙ୍କ ଯୋଗାଯୋଗ ଶୈଳୀରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଇଂରାଜୀ ଶବ୍ଦର ବ୍ୟବହାର, ଛୋଟ ଭିଡିଓ ଏବଂ ରିଲ୍ସ ଫର୍ମାଟ୍ ଯୁବପିଢ଼ିଙ୍କ ପସନ୍ଦ ସହ ମେଳ ଖାଉଛି। ଡିଜିଟାଲ୍ ଯୁଗରେ ସନ୍ଦେଶର ଭାଷା ଓ ଉପସ୍ଥାପନ ଶୈଳୀ ମଧ୍ୟ ବଦଳୁଥିବାରୁ ଏହାର ପ୍ରଭାବ ରାଜନୈତିକ ପ୍ରଚାରରେ ମଧ୍ୟ ଦେଖାଯାଉଛି। ଯାହାର ପ୍ରଭାବ ଆଗାମୀ ନିର୍ବାଚନମାନଙ୍କରେ ବେଶ୍ ପ୍ରତିଫଳିତ ହେବ ।
ଇନଷ୍ଟାଗ୍ରାମରେ ସବୁଠାରୁ ଆଗରେ ମୋଦୀ
ଯଦି ରାଜନେତାମାନଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ଦେଖିବା, ତେବେ ସେଥିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ସମସ୍ତ ରାଜନେତାଙ୍କଠାରୁ ଆଗରେ ଅଛନ୍ତି। ତାଙ୍କର ପ୍ରାୟ ୧୦.୨ କୋଟି ଫଲୋଅର୍ସ ରହିଛନ୍ତି, ଯାହା ତାଙ୍କୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ରାଜନେତାମାନଙ୍କ ମଧ୍ୟରେ ସ୍ଥାନ ଦେଇଛି। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଇନଷ୍ଟାଗ୍ରାମରେ ପ୍ରାୟ ୧.୪ କୋଟି ଫଲୋଅର୍ସ ଅଛନ୍ତି।
ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ବଡ଼ ଇନଷ୍ଟାଗ୍ରାମ ବଜାର ଭାବେ ପରିଚିତ। ଦେଶରେ ପ୍ରାୟ ୪୨ କୋଟି ଇନଷ୍ଟାଗ୍ରାମ ୟୁଜର୍ସ ଅଛନ୍ତି। ସେଥିରୁ ଅଧିକାଂଶ ଯୁବପିଢ଼ି ଏବଂ ଜେନ-ଜି ବ୍ୟବହାରକାରୀ। ଏହି କାରଣରୁ ରାଜନୈତିକ ଦଳ ଓ ନେତାମାନେ ନିଜ ବାର୍ତ୍ତାକୁ ଶୀଘ୍ର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଇନଷ୍ଟାଗ୍ରାମକୁ ପ୍ରାଥମିକ ମାଧ୍ୟମ ଭାବେ ଦେଖୁଛନ୍ତି।
ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏହା କେବଳ ସୋସିଆଲ ମିଡିଆରେ ସକ୍ରିୟ ରହିବାର ପରାମର୍ଶ ନୁହେଁ, ବରଂ ଯୁବ ଭୋଟରଙ୍କ ସହ ଡିଜିଟାଲ୍ ସଂଯୋଗକୁ ମଜବୁତ କରିବା ପାଇଁ ସରକାରଙ୍କ ଦୀର୍ଘମିଆଦୀ ରଣନୀତିର ଅଂଶ ବୋଲି କୁହାଯାଉଛି।