BJD Intensifies Protest: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିଜେଡିର ଆନ୍ଦୋଳନ ତୀବ୍ର, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋରଦାର
ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ (ବିଜେଡି)। ଦଳ ଅଭିଯୋଗ କରିଛି ଯେ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ କରି ରାଜ୍ୟର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ କରାଯାଇଛି। ଏହାର ପ୍ରତିବାଦରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ବିଜେଡି ନିଷ୍ପତ୍ତି ନେଇଛି।
ଦଳର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଏପର୍ଯ୍ୟନ୍ତ ୧୬ଟି ସାଂଗଠନିକ ଜିଲ୍ଲାରେ ବିକ୍ଷୋଭ କରାଯାଇଛି। ଆଗାମୀ ଦିନରେ ଅବଶିଷ୍ଟ ୧୭ଟି ସାଂଗଠନିକ ଜିଲ୍ଲାରେ ମଧ୍ୟ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ଜୋରଦାର କରାଯିବ। ଏହାସହ ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ରାଜ୍ୟସ୍ତରୀୟ ବିଶାଳ ବିକ୍ଷୋଭ ସଭା କରିବାକୁ ମଧ୍ୟ ଦଳ ବିଚାର କରୁଥିବା ସୂଚନା ମିଳିଛି।
ଅନ୍ୟପଟେ, ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। କିନ୍ତୁ କେବେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ପୁସ୍ତକ ମିଳିବ, ସେନେଇ ସରକାର ସ୍ପଷ୍ଟ ସମୟସୀମା ଘୋଷଣା କରନ୍ତୁ ବୋଲି ବିଜେଡି ଦାବି କରିଛି। ଶାସକ ବିଜେପି ପକ୍ଷରୁ ଏହି ଘଟଣାରେ କେବଳ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିବା ବେଳେ, ପାଠ୍ୟପୁସ୍ତକ ପ୍ରସ୍ତୁତିରେ ସାମିଲ ଥିବା କୋର କମିଟିର ସଦସ୍ୟ ଓ ଅନ୍ୟାନ୍ୟ ଅଣ-ସରକାରୀ ବ୍ୟକ୍ତିଙ୍କୁ କାହିଁକି ଛାଡ଼ି ଦିଆଯାଉଛି ବୋଲି ବିଜେଡି ପ୍ରଶ୍ନ ଉଠାଇଛି।
ଏହାସହ ରାଜ୍ୟରେ ପର୍ଯ୍ୟାପ୍ତ ମୁଦ୍ରଣ ବ୍ୟବସ୍ଥା ଥିବା ସତ୍ତ୍ୱେ ଗୁଜରାଟର ଏକ ସଂସ୍ଥା ମାଧ୍ୟମରେ ପାଠ୍ୟପୁସ୍ତକ ଛପାଇବା ନିଷ୍ପତ୍ତି ଉପରେ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି। କାହା ନିର୍ଦ୍ଦେଶରେ ଏହି କାମ ରାଜ୍ୟ ବାହାରକୁ ଦିଆଗଲା, ତାହାର ସମ୍ପୂର୍ଣ୍ଣ ତଦନ୍ତ କରାଯାଉ ଏବଂ ସରକାର ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତୁ ବୋଲି ଦଳ ଦାବି କରିଛି।
ବିଜେଡି ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି, “ନୂଆ ପାଠ୍ୟପୁସ୍ତକ ପ୍ରକାଶନରେ ପ୍ରାୟ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି। ଆମେ ବାରମ୍ବାର ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛୁ। କିନ୍ତୁ ଏପର୍ଯ୍ୟନ୍ତ ସରକାର ସତ୍ୟ ପଦାକୁ ଆଣିବାରେ ବିଫଳ ହୋଇଛନ୍ତି।” ସେ ଆହୁରି କହିଛନ୍ତି ଯେ, ବୋର୍ଡ ପରୀକ୍ଷାକୁ ଆଉ ମାତ୍ର ଦୁଇରୁ ତିନି ମାସ ବାକି ଥିବା ବେଳେ ମଧ୍ୟ ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରାଯାଇନାହିଁ। ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସିଧାସଳଖ ଖେଳ ବୋଲି ସେ ଅଭିଯୋଗ କରିଛନ୍ତି।
ତେବେ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ ବ୍ୟାନରରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ସମଗ୍ର ରାଜ୍ୟରେ ଆନ୍ଦୋଳନ ଜାରି ରଖିଛନ୍ତି। ପାଠ୍ୟପୁସ୍ତକ ବିବାଦକୁ ନେଇ ସରକାର ଉପରେ ଚାପ ବଢ଼ାଇବା ସହ ଶିକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ପାଇଁ ସରକାରଙ୍କୁ ଦାୟୀ କରି ବିଜେଡି ତା’ର ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ଜୋରଦାର କରିବ ବୋଲି ସ୍ପଷ୍ଟ କରିଛି।