Latest Odisha News

BREAKING NEWS

ଆସନ୍ତାକାଲି ବନ୍ଦ ରହିବ ଭଦ୍ରକ ଓ ନବରଙ୍ଗପୁରର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି (ବୁଧବାର) ଭଦ୍ରକ ଏବଂ ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଗତ କିଛି ଦିନ ହେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ଏବଂ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଆଡ଼କୁ ଗତି କରୁଥିବା ବେଳେ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଅନେକ ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଅନୁରୂପ ଭାବେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ପିଲାମାନଙ୍କର ସୁରକ୍ଷାକୁ ପ୍ରାଥମିକତା ଦେଇ ଏବଂ ସେମାନଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ନଦେବା ଉଦ୍ଦେଶ୍ୟରେ ଭଦ୍ରକ ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଗୋଟିଏ ଦିନ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆଦେଶ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ଉପରେ ଲାଗୁ ହେବ। ଏହା ସହିତ ଛୋଟ ପିଲାମାନଙ୍କ ସୁରକ୍ଷା ପାଇଁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ।

ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଥିଲେ ସୁଦ୍ଧା, ବିଦ୍ୟାଳୟର ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତି କିମ୍ବା ବନ୍ୟା ମୁକାବିଲା ସମୟରେ ପ୍ରଶାସନ ଡାକିଲେ ସେମାନଙ୍କୁ ଡ୍ୟୁଟିରେ ଯୋଗ ଦେବାକୁ ପଡ଼ିପାରେ ବୋଲି ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ ଯେ, କେବଳ ଭଦ୍ରକ କିମ୍ବା ନବରଙ୍ଗପୁର ନୁହେଁ, ପାଣିପାଗର ଗମ୍ଭୀରତାକୁ ଦେଖି କେନ୍ଦୁଝର, ଯାଜପୁର, ବରଗଡ଼ ଏବଂ ସୁନ୍ଦରଗଡ଼ ଭଳି ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ପ୍ରଶାସନ ସ୍ଥିତି ଉପରେ କଡ଼ା ନଜର ରଖିଛି। ତେଣୁ ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଏବଂ ସତର୍କ ରହିବାକୁ ସାଧାରଣ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.