Latest Odisha News

BREAKING NEWS

ସହରାଞ୍ଚଳ ବନ୍ୟା ମୁକାବିଲାକୁ ନେଇ ଆଲର୍ଟ ମୋଡ୍‌ରେ ସରକାର: ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ, ପ୍ରସ୍ତୁତ ହେଉଛି ନୂଆ ଡ୍ରେନେଜ୍ ମାଷ୍ଟର ପ୍ଲାନ୍

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଉପୁଜିଥିବା ବନ୍ୟା ଓ ଜଳବନ୍ଦୀ ସମସ୍ୟାକୁ ନେଇ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ବିଶେଷକରି ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ଦେଇ ଆଶାନୁରୂପକ ଜଳ ନିଷ୍କାସନ ହୋଇନପାରିବାରୁ ଅନେକ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନଗର ଉନ୍ନୟନ ବିଭାଗକୁ ସମ୍ପୂର୍ଣ୍ଣ ସଜାଗ ରଖାଯାଇଛି। ବିଭାଗୀୟ ଅଧିକାରୀମାନଙ୍କର ସମସ୍ତ ଛୁଟି ବାତିଲ କରାଯିବା ସହ ୨୪ ଘଣ୍ଟିଆ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

 

ବର୍ତ୍ତମାନର ସ୍ଥିତି ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, କ୍ଷମତାଠାରୁ ଅଧିକ ପରିମାଣର ବର୍ଷା ହେବା କାରଣରୁ ସହରର ଡ୍ରେନେଜ୍ ସିଷ୍ଟମ୍ ଉପରେ ଚାପ ପଡ଼ିଛି। ଫଳସ୍ୱରୂପ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଓ ବସ୍ତି ଅଞ୍ଚଳରେ ପାଣି ପଶିଯାଇଛି। ତେବେ ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ରାଜ୍ୟର ସମସ୍ତ ପୌରାଞ୍ଚଳ ପାଇଁ ଏକ ସୁଦୃଢ଼ ‘ଡ୍ରେନେଜ୍ ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ କରିବାକୁ ସରକାର ଯୋଜନା କରିଛନ୍ତି।

 

ଖୁବଶୀଘ୍ର ଏହାର ଡିପିଆର୍ ଆସିବ ଏବଂ ଏହାକୁ କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ପାଇଁ ତଳିଆ ଅଞ୍ଚଳରେ ଏକାଧିକ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପସେଟ୍ ଲଗାଯାଇ ତୁରନ୍ତ ଜଳ ନିଷ୍କାସନ କାର୍ଯ୍ୟ କରାଯାଉଛି।

 

ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଏଠାରେ ଉପସ୍ଥିତ ରହି ପ୍ରତିଟି ମୁହୂର୍ତ୍ତର ଖବର ନେବାକୁ ଏବଂ ସ୍ଥିତି ଅନୁଧ୍ୟାନ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

 

ଉତ୍ତର ଓଡ଼ିଶାରେ ସଙ୍ଗିନ ସ୍ଥିତି, ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଅନ୍ୟପକ୍ଷରେ ଉତ୍ତର ଓଡ଼ିଶାରେ, ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଅତୀତରେ ବାଲେଶ୍ୱରରେ ଏଭଳି ଭୟଙ୍କର ଜଳବନ୍ଦୀ ପରିସ୍ଥିତି କେବେ ଦେଖାଯାଇ ନଥିଲା ବୋଲି ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।

 

ସମ୍ପୃକ୍ତ ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବା ସହ ପାଣି ନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି।

ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଉତ୍ତର ଓଡ଼ିଶା ସମେତ ସମଗ୍ର ରାଜ୍ୟର ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି।

 

ସେମାନଙ୍କ ସହ ତାଳ ଦେଇ ନଗର ଉନ୍ନୟନ ବିଭାଗ ମଧ୍ୟ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟର ନିରନ୍ତର ମନିଟରିଂ କରୁଛି। ଇତିମଧ୍ୟରେ ଜଳମଗ୍ନ ଅଞ୍ଚଳରୁ ବିପନ୍ନମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ପ୍ରକ୍ରିୟା ଜାରି ରହିଛି। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଆବଶ୍ୟକ ମୁତାବକ ପାନୀୟ ଜଳ, ରନ୍ଧା ଖାଦ୍ୟ ଏବଂ ଆଲୋକର ଉପଯୁକ୍ତ ବ୍ୟବସ୍ଥା କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.