ନୂଆଦିଲ୍ଲୀ: ଆଇସିସି ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ୧୨ଟି ଆୟୋଜକ ସହରର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ଏହି ଟୁର୍ନାମେଣ୍ଟ ୨୦୨୭ ଅକ୍ଟୋବର ୪ ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଜିମ୍ବାବ୍ୱେ ଏବଂ ନାମ୍ବିଆରେ ଖେଳାଯିବ । ଦୀର୍ଘ ୨୪ ବର୍ଷ ପରେ ପୁଣିଥରେ ଆଫ୍ରିକା ମହାଦେଶକୁ ଫେରୁଛି ଦିନିକିଆ ବିଶ୍ୱକପ । ଟୁର୍ନାମେଣ୍ଟର ମୋଟ ୫୪ଟି ମ୍ୟାଚ୍ ମଧ୍ୟରୁ ପ୍ରାୟ ୪୧ଟି ମ୍ୟାଚ୍ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ । ଦକ୍ଷିଣ ଆଫ୍ରିକାର ୮ଟି ପ୍ରମୁଖ ସହର ଯୋହାନ୍ସବର୍ଗ, ସେଞ୍ଚୁରିଅନ୍, ଡର୍ବାନ୍, ଗ୍କେବେର୍ହା, କୁଗୋମ୍ପୋ ସିଟି, କେପଟାଉନ୍, ପାର୍ଲ ଏବଂ ବ୍ଲୋମଫୋଣ୍ଟେନରେ ଏହି ମ୍ୟାଚଗୁଡ଼ିକ ଖେଳାଯିବ । ସେହିପରି ଜିମ୍ବାବ୍ୱେର ହରାରେ, ବୁଲାୱାୟୋ ଏବଂ ଭିକ୍ଟୋରିଆ ଫଲ୍ସରେ ୭ରୁ ୧୦ଟି ମ୍ୟାଚ୍ ଆୟୋଜନ ହେବାକୁ ଥିବାବେଳେ ନାମ୍ବିଆର ରାଜଧାନୀ ୱିଣ୍ଡହୋକରେ ଅତି କମରେ ୩ଟି ମ୍ୟାଚ୍ ଖେଳାଯିବ ।
ଭିକ୍ଟୋରିଆ ଫଲ୍ସରେ ଏକ ନୂତନ ୧୦ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମ୍ ନିର୍ମାଣାଧୀନ ଅଛି, ଯାହା ପ୍ରଥମ ଥର ପାଇଁ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ କରିବ । ୨୦୨୭ ବିଶ୍ୱକପ୍ରେ ମୋଟ ୧୪ଟି ଦଳ ଭାଗ ନେବେ । ୧୨ଟି ଟିମ୍କୁ ୬-୬ କରି ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯିବ । ପ୍ରତ୍ୟେକ ଗ୍ରୁପ୍ର ଶୀର୍ଷ ୩ଟି ଟିମ ଏବଂ ଚତୁର୍ଥ ସ୍ଥାନରେ ଥିବା ଶ୍ରେଷ୍ଠ ଟିମ ସୁପର୭ କୁ ଯିବେ । ସୁପର୭ର ଶୀର୍ଷ ୪ଟି ଟିମ୍ ସେମିଫାଇନାଲରେ ପ୍ରବେଶ କରିବେ ଏବଂ ବିଜେତା ଟିମ୍ ଫାଇନାଲ୍ ଖେଳିବେ । ଏହି ନୂତନ ଫର୍ମାଟ୍ ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସର୍ବାଧିକ ୩ଟି ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଛି । ଫାଇନାଲ୍ ମ୍ୟାଚ୍ ଯୋହାନ୍ସବର୍ଗର ୱାଣ୍ଡରର୍ସ କିମ୍ବା କେପଟାଉନ୍ର ନ୍ୟୁଲ୍ୟାଣ୍ଡସ୍ ଷ୍ଟାଡିୟମ୍ରେ ଆୟୋଜିତ ହୋଇପାରେ ।