PM Modi PAK Visit?: SCO ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ ପଠାଇବ ପାକିସ୍ତାନ! ଇସଲାମାବାଦ ଯିବେ କି ପ୍ରଧାନମନ୍ତ୍ରୀ ମୋଦି?
ନୂଆଦିଲ୍ଲୀ: ପାକିସ୍ତାନ ଯିବେ କି ପ୍ରଧାନମନ୍ତ୍ରୀ?
ଶାହବାଜଙ୍କ ନିମନ୍ତ୍ରଣ ରକ୍ଷା କରି ଇସଲାମାବାଦ ଯିବେ କି ମୋଦି?
ପାକିସ୍ତାନରେ ହେବାକୁ ଥିବା ୨୦୨୭ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ପାକିସ୍ତାନ ସ୍ପଷ୍ଟ କରିଛି । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ, ଆୟୋଜକ ଦେଶ ଭାବେ ଏସସିଓର ନିୟମ ଅନୁସାରେ ସଦସ୍ୟ ଦେଶଗୁଡ଼ିକର ସମସ୍ତ ରାଷ୍ଟ୍ରମୁଖ୍ୟ ଓ ସରକାର ମୁଖ୍ୟଙ୍କୁ ନିମନ୍ତ୍ରଣ ପଠାଇବା ବାଧ୍ୟତାମୂଳକ। ସେହି ଅନୁଯାୟୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯିବ।
ଏସସିଓ କ’ଣ?
ସାଂଘାଇ ସହଯୋଗ ସଂଗଠନ (SCO) ୨୦୦୧ ମସିହାରେ ଗଠିତ ହୋଇଥିଲା। ୟୁରେସିଆ ଅଞ୍ଚଳରେ ଶାନ୍ତି, ସୁରକ୍ଷା, ଆର୍ଥିକ ସହଯୋଗ ଓ ବିକାଶକୁ ପ୍ରୋତ୍ସାହନ ଦେବା ଏହାର ଲକ୍ଷ୍ୟ। ଏହି ସଂଗଠନରେ ଭାରତ, ପାକିସ୍ତାନ, ଚୀନ, ଋଷ, ଇରାନ, ବେଲାରୁସ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସଦସ୍ୟ ରହିଛନ୍ତି। ୨୦୨୫ରେ ଚୀନର ତିଆନଜିନରେ ଏସସିଓ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଇରାନର ରାଷ୍ଟ୍ରପତି ମାସୁଦ ପେଜେଶ୍କିଆନ୍ ଏବଂ ଅନ୍ୟ ସଦସ୍ୟ ଦେଶର ନେତାମାନେ ଯୋଗ ଦେଇଥିଲେ।
ଭାରତ-ପାକ ସମ୍ପର୍କ ନେଇ ବଡ଼ ପ୍ରଶ୍ନ
ପାକିସ୍ତାନର ଏହି ସଙ୍କେତ ଏଭଳି ସମୟରେ ଆସିଛି, ଯେତେବେଳେ ଭାରତ ଓ ପାକିସ୍ତାନ ସମ୍ପର୍କ ଗତ କିଛି ସମୟ ଧରି ଅତ୍ୟନ୍ତ ତିକ୍ତ ରହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଛି । ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିବା ସହ ପାକିସ୍ତାନୀ କୂଟନୀତିଜ୍ଞଙ୍କ ବିରୋଧରେ ପଦକ୍ଷେପ ନେଇଛି । ସେବେଠଉ ଉଭୟ ଦେଶ ପରସ୍ପର ବିରୁଦ୍ଧରେ ସ୍ବର ଶାଣିତ କରିଆସୁଛନ୍ତି ।
ଶେଷଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଡିସେମ୍ବର ୨୦୧୫ରେ ପାକିସ୍ତାନ ଗସ୍ତ କରିଥିଲେ। ଆଫଗାନିସ୍ତାନରୁ ଫେରିବା ବେଳେ ସେ ହଠାତ୍ ଲାହୋରରେ ଅବତରଣ କରି ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସହ ସାକ୍ଷାତ କରିଥିଲେ। ସେହି ଦିନ ନୱାଜ ଶରିଫଙ୍କ ଜନ୍ମଦିନ ଏବଂ ତାଙ୍କ ନାତୁଣୀଙ୍କ ବିବାହ ଉତ୍ସବ ଥିଲା। ମୋଦିଙ୍କ ଏହି ଅଚାନକ ଗସ୍ତକୁ ଭାରତ-ପାକ ସମ୍ପର୍କରେ ଏକ ବଡ଼ କୂଟନୀତିକ ପଦକ୍ଷେପ ଭାବେ ଦେଖାଯାଇଥିଲା। ଏହା ପରେ ଦୁଇ ଦେଶର ସମ୍ପର୍କ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି । ତେଣୁ ଏଭଳି ସମୟରେ ପାକିସ୍ତାନ ନିମନ୍ତ୍ରଣ ପଠାଇବାକୁ ସଙ୍କେତ ଦେଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୭ ଏସସିଓ ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ କି ନାହିଁ, ସେନେଇ ଦ୍ବନ୍ଦ୍ବ ରହିଛି ।