ନୂଆଦିଲ୍ଲୀ: ଆସମରୁ କାଶ୍ମୀର, ଗୁଜରାଟରୁ ଓଡ଼ିଶା…
ହନ୍ତସନ୍ତ କରୁଛି ବନ୍ୟା ବିତ୍ପାତ
ବାଦଲ ଫଟା ବର୍ଷା ସାଙ୍ଗକୁ ବନ୍ୟା, ଦୁର୍ବିସହ କରିଛି ଜୀବନ!
ଦେଶରେ ମୌସୁମୀ ବର୍ଷାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ସହ ପାହାଡ଼ରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି। କେଉଁଠି ବାଦଲ ଫାଟୁଛି ତ କେଉଁଠି ପାହାଡ଼ ଧସୁଛି। ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-କାଶ୍ମୀରରୁ କେରଳ, ଗୁଜରାଟରୁ ଓଡ଼ିଶା ଓ ଆସମ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସବୁଠୁ ବେଶୀ କରାଳ ଦୃଶ୍ୟ ଆସୁଛି ଆସାମରୁ, ପାଣି କବଳରୁ ପ୍ରାଣ ବଞ୍ଚାଇବା ପାଇଁ ତ୍ରାହି ତ୍ରାହି ଡାକୁଛି ପ୍ରତିଟି ଜୀବନ ।
ପୂର୍ବୋତ୍ତର ରାଜ୍ୟ ଆସମରେ ପ୍ରତିବର୍ଷ ବନ୍ୟା ସ୍ଥିତି ସବୁଠାରୁ ଚିନ୍ତାଜନକ ରହିଛି। ଏବର୍ଷ ମଧ୍ୟ କାଳର କରାଳ ରୂପି ବନ୍ୟା ତା ଗର୍ଭରେ ପୂରା ଆସାମକୁ ଗିଳି ବସିଛି । କେଉଁଠି ଜୀବଜନ୍ତୁ, ତ କେଉଁଠି ବଡ ବଡ କୋଠା, ଗାଡି, ମଣିଷ ସବୁ କିଛି ବନ୍ୟାରେ ଭାସୁଛି । ସରକାରୀ ତଥ୍ୟ ଅନୁଯାୟୀ, ବନ୍ୟା ଓ ବର୍ଷାଜନିତ ଘଟଣାରେ ଆସାମରେ ଏପର୍ଯ୍ୟନ୍ତ ୮୦ ଜଣଙ୍କ ମୃତ୍ୟୁ ହୋଇଛି। ୨.୧୨ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଅନେକ ପରିବାର ଘରଛାଡ଼ା ହୋଇ ରାହାତ ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି। ଖାଦ୍ୟ, ପିଇବା ପାଣି ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି। ଏହି ସବୁ ଦୃଶ୍ୟର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଥିବା ବେଳେ ଅନେକ ଆସାମବାସୀଙ୍କ ସାହାଯ୍ୟ ପାଇଁ ବାହାରି ଆସିଛନ୍ତି ।
ସେହିପରି ଓଡ଼ିଶାରେ ଲଗାଣ ବର୍ଷା ଓ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରୁ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ ଅନେକ ଜିଲ୍ଲାର ଗାଁଗୁଡ଼ିକ ବନ୍ୟାଜଳରେ ବୁଡ଼ି ରହିଛି। ଘରବାଡ଼ି, ରାସ୍ତାଘାଟ ଓ ଚାଷଜମି ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ସେପଟେ ଜମ୍ମୁ-କାଶ୍ମୀରର ଶୋପିଆନ ଓ କିସ୍ତୱାର ଜିଲ୍ଲାରେ ବାଦଲ ଫାଟିବା ଘଟଣା ପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୋପିଆନରେ ହଠାତ୍ ଆସିଥିବା ବନ୍ୟାରେ ଏକାଧିକ ଗାଁ ଜଳମଗ୍ନ ହୋଇଯାଇଛି। କିସ୍ତୱାରର ଚାନ୍ନୁ ଅଞ୍ଚଳରେ ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ବାଦଲ ଫାଟିଥିଲା। ପ୍ରବଳ ଜଳସ୍ରୋତରେ ଅନେକ ଗାଡ଼ି ଭାସିଯାଇଥିବା ବେଳେ ଘରବାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଜାତୀୟ ରାଜପଥରେ ମାଟି ଓ ପଥର ଧସି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଜମ୍ମୁ-କାଶ୍ମୀରର ଅମରନାଥ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ସେହିପରି ଉତ୍ତରାଖଣ୍ଡରେ ପାହାଡ଼ ଧସିବା ଏବଂ ରାସ୍ତା ଉପରେ ବଡ଼ ବଡ଼ ପଥର ଖସି ପଡ଼ିବାରୁ ଚାରିଧାମ ଯାତ୍ରାରେ ମଧ୍ୟ ବାଧା ସୃଷ୍ଟି ହୋଇଛି।
ଗୁଜରାଟର ବହୁ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିଶେଷକରି ସୁରେନ୍ଦ୍ରନଗର ଜିଲ୍ଲାରେ ଅନେକ ଆବାସିକ ସୋସାଇଟି ଜଳମଗ୍ନ ହୋଇଯାଇଛି। ଘର ଭିତରକୁ ପାଣି ପଶିଯିବାରୁ ଲୋକମାନେ ଫସି ରହିଛନ୍ତି। ତା ଉପରେ ପୁଣି ଲଗାଣ ବର୍ଷା ଜୀବନକୁ ଆହୁରି ଦୁର୍ବିସହ କରିଛି । ଅହମ୍ମଦାବାଦ, ଗାନ୍ଧୀନଗର, ସୁରଟ, ବଦୋଦରା ଓ ନବସାରୀ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
କେରଳର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି। ନିମ୍ନାଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି।
ଚଳିତ ମୌସୁମୀ ବର୍ଷାର ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ବିଭିନ୍ନ ଅଞ୍ଚଳରେ ବାଦଲ ଫାଟିବା, ଭୂସ୍ଖଳନ, ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ଅନେକ ରାଜ୍ୟରେ ଆହୁରି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।