Latest Odisha News

BREAKING NEWS

ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତ ସମ୍ମାନିତ 

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ବିକାନେରସ୍ଥିତ ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ (ଏମ୍‌ଜିଏସ୍‌ୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି।

ଜୟପୁର ରାଜଭବନ (ଲୋକ ଭବନ)ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଶିକ୍ଷା ମାଧ୍ୟମରେ ସମାଜର ବିକାଶ ଓ କଲ୍ୟାଣ ଦିଗରେ ଅଚ୍ୟୁତ ସାମନ୍ତଙ୍କ ଅସାଧାରଣ ଅବଦାନକୁ ସ୍ୱୀକୃତି ଜଣାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ ।

ଏମ୍‌ଜିଏସ୍‌ୟୁ କୁଳାଧିପତି ତଥା ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗଡେ ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରେମ ଚାନ୍ଦ ବୈରୱା, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମନୋଜ ଦୀକ୍ଷିତ, କୁଳସଚିବ ପ୍ରଫେସର ଯଶପାଲ ଆହୁଜାଙ୍କ ସମେତ ରଜ୍ୟର ବହୁ ମନ୍ତ୍ରୀ, ବିଧାୟକ ତଥା ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା କିଶୋର ରହାଟକରଙ୍କୁ ମଧ୍ୟ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଥିଲା ।

ମହାରାଜା ଗଙ୍ଗାସିଂହ ବିଶ୍ୱବିଦ୍ୟାଳୟ ରାଜସ୍ଥାନର ଅନ୍ୟତମ ପ୍ରମୁଖ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସୁପରିଚିତ । ଓଡ଼ିଶାରୁ ଆଣି ରାଜସ୍ଥାନ ରାଜଭବନରେ ସ୍ୱତନ୍ତ୍ର ସମାବର୍ତ୍ତନ ଆୟୋଜନ କରି ସମ୍ମାନୀତ କରିବା ସହ ଓଡ଼ିଶା ଓ ଅଚ୍ୟୁତଙ୍କ କାର୍ଯ୍ୟର ପ୍ରଶଂସା କରାଯାଇଥିବାରୁ ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ କୃତଜ୍ଞତା ଜଣାଇଥିଲେ ଅଚ୍ୟୁତ ସାମନ୍ତ। ଏହି ସ୍ମୃତି ମୋ ହୃଦୟରେ ସବୁଦିନ ସାଇତା ହୋଇ ରହିବ ବୋଲି ସେ ପ୍ରକାଶ କରିଛନ୍ତି । ଅଗଷ୍ଟ ୨ରେ ଦିବଙ୍ଗତ ମା ନୀଳିମାରାଣୀଙ୍କ ୧୦ମ ଶ୍ରାଦ୍ଧଦିବସ ପାଳନ ହେଉଥିବା ବେଳେ ମାଆଙ୍କ ସମ୍ମାନାର୍ଥେ ସେ ଏହି ସମ୍ମାନକୁ ମାଆଙ୍କୁ ଉତ୍ସର୍ଗ କରିଛନ୍ତି।

 

Leave A Reply

Your email address will not be published.