ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ସିଜନ୍ ଶେଷ ହେବାର ଦୁଇ ମାସ ପରେ ମଧ୍ୟ ଖେଳାଳିଙ୍କ ଟ୍ରେଡିଂକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ରିଷଭ ପନ୍ତ ଏବଂ କୁଲଦୀପ ଯାଦବଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରେଡ୍ କରିସାରିଥିବା ବେଳେ, ଅନ୍ୟପଟେ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ସସପେନ୍ସ ଜାରି ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ସହିତ ତାଙ୍କର ଯାତ୍ରା ଶେଷ ହେବାକୁ ଯାଉଛି ବୋଲି ଆଶଙ୍କା କରାଯାଉଥିବା ବେଳେ, ସେ ଚେନ୍ନାଇ ସୁପର କିଙ୍ଗସକୁ ଯାଉଥିବା ନେଇ ଗୁଜବ ସବୁଠାରୁ ଅଧିକ ବ୍ୟାପିବାରେ ଲାଗିଛି । ଏବେ ମୁମ୍ବାଇ ମଧ୍ୟ ଏହି ଖବରକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି । ଗତ କିଛି ସିଜନରେ ନିରାଶାଜନକ ପ୍ରଦର୍ଶନ ଏବଂ ବାରମ୍ବାର ବିବାଦ ଯୋଗୁଁ ହାର୍ଦ୍ଦିକ ଓ ମୁମ୍ବାଇ ଇଣ୍ଡିଆନ୍ସ ଅଲଗା ହେବା ନେଇ ଚର୍ଚ୍ଚା ହେଉଥିଲା । କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ଭଳି ଫ୍ରାଞ୍ଚାଇଜ୍ ସହ ମଧ୍ୟ ତାଙ୍କ ନାମ ଯୋଡ଼ା ଯାଇଛି ।
ମୁମ୍ବାଇର ଜଣେ ପ୍ରବକ୍ତା କହିଛନ୍ତି ଯେ ଗତ ସିଜନ୍ର ନିରାଶାଜନକ ପ୍ରଦର୍ଶନର ସମୀକ୍ଷା ବର୍ତ୍ତମାନ ସୁଦ୍ଧା ଚାଲିଛି । ଦଳ ପ୍ରତ୍ୟେକ ଦିଗ ଉପରେ ଗମ୍ଭୀରତାର ସହ ବିଚାର କରୁଛି । ସମୀକ୍ଷା ପ୍ରକ୍ରିୟା ଶେଷ ନହେବା ପର୍ୟ୍ୟନ୍ତ କୌଣସି ବି ଖେଳାଳିଙ୍କ ଟ୍ରେଡିଂକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଅଫିସିଆଲି ଦେଖିବାକୁ ଗଲେ, ପ୍ରଥମେ ଚେନ୍ନାଇ ଏବଂ ଏବେ ମୁମ୍ବାଇ ସମାନ ଯୁକ୍ତି ଦର୍ଶାଇଛନ୍ତି । ଚେନ୍ନାଇ କହିଥିଲା ଯେ, ଗତ ଆଇପିଏଲ ସିଜନର ଆଭ୍ୟନ୍ତରୀଣ ସମୀକ୍ଷା ଆରମ୍ଭ ହୋଇନଥିବାରୁ ହାର୍ଦ୍ଦିକଙ୍କୁ ନେଇ ଆସୁଥିବା ସମସ୍ତ ଦାବି ଭିତ୍ତିହୀନ । ମୁମ୍ବାଇ ମଧ୍ୟ ସମୀକ୍ଷା ପ୍ରକ୍ରିୟା ଶେଷ ନହେବା ଯାଏଁ ଟ୍ରେଡିଂ ନିଷ୍ପତ୍ତିକୁ ଏଡ଼ାଇ ଦେଇଛି । କ୍ରିକେଟ୍ ବିଶ୍ଲେଷକଙ୍କ ମତରେ, ଆଇପିଏଲ୍ରେ ଏହିଭଳି ଅଫିସିଆଲ୍ ବ୍ୟକ୍ତବ୍ୟ ସବୁବେଳେ ସତ୍ୟ ହୋଇନଥାଏ ।
ଉଭୟ ଟିମ୍ ଚୁପ୍ ରହିବା ପଛରେ କିଛି ଆର୍ଥିକ ଓ କୌଶଳଗତ କାରଣ ଥାଇପାରେ । ଖେଳାଳିଙ୍କ ପ୍ରସ୍ତାବ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିବମ୍ ଦୁବେଙ୍କ ଭଳି ଖେଳାଳିଙ୍କୁ ମୁମ୍ବାଇ ଆଣିବା ନେଇ ଆଲୋଚନା ଚାଲିଛି । ମୂଲ୍ୟ ନିର୍ଦ୍ଧାରଣ ଦୁଇ ବଡ଼ ଫ୍ରାଞ୍ଚାଇଜ୍ ମଧ୍ୟରେ ଅର୍ଥରାଶି ଓ ସର୍ତ୍ତାବଳୀ ଉପରେ ଚୂଡ଼ାନ୍ତ ସହମତି ନ ହେବା ପର୍ୟ୍ୟନ୍ତ ଏଭଳି ଖବରକୁ ସାର୍ବଜନୀନ କରାଯାଏ ନାହିଁ । ସମୀକ୍ଷା ଶେଷ ହେବା ପରେ ଏବଂ ଆଗାମୀ ମିନି ନିଲାମୀ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ଚୂଡ଼ାନ୍ତ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।