ରାଉରକେଲା: ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (NIT ) ର ଗବେଷକମାନେ ଏକ ଉନ୍ନତ ନିର୍ମାଣ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ପେଟେଣ୍ଟ (ପେଟେଣ୍ଟ ନଂ. ୫୯୬୯୪୩) ହାସଲ କରିଛନ୍ତି, ଯାହା ଫାଇବର-ରିଇନ୍ଫୋର୍ସଡ୍ ପଲିମର (FRP) କମ୍ପୋଜିଟ୍ର ଶକ୍ତି ଏବଂ ସ୍ଥାୟୀତ୍ୱ ବୃଦ୍ଧି କରିପାରିବ। ଏହି ବିକଶିତ ପ୍ରଯୁକ୍ତିବିଦ୍ୟା ଉଚ୍ଚ-କାର୍ଯ୍ୟଦକ୍ଷତା ସମ୍ପନ୍ନ ଇଞ୍ଜିନିୟରିଂ ପ୍ରୟୋଗ ପାଇଁ କମ୍ପୋଜିଟ୍ ସାମଗ୍ରୀ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଅଟେ।
ଏହି ଗବେଷଣାର ଫଳାଫଳ ହେଉଛି NIT ରାଉରକେଲା ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗର FRP କମ୍ପୋଜିଟ୍ ଲ୍ୟାବ୍ ଟିମ୍ ଯେଉଁଥିରେ ସହକାରୀ ପ୍ରଫେସର ଡକ୍ଟର ରାଜେଶ କୁମାର ପୃଷ୍ଟି, ପ୍ରଫେସର ବଙ୍କିମ ଚନ୍ଦ୍ର ରାୟ, ଏବଂ ଗବେଷକ ପରିମଳ ଜାନା ସାମିଲ ଅଛନ୍ତି ଏବଂ MNIT ଜୟପୁରର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଡକ୍ଟର ଦିନେଶ କୁମାର ରାଠୋରଙ୍କ ନିରନ୍ତର ମିଳିତ ସହଯୋଗର ପରିଣାମ।
ଫାଇବର-ରିଇନ୍ଫୋର୍ସଡ୍ ପଲିମର (FRP) କମ୍ପୋଜିଟ୍ଗୁଡ଼ିକରେ ଅସାଧାରଣ ଶକ୍ତି-ଓଜନ ଅନୁପାତ (strength-to-weight ratio), ଉତ୍ତମ ଫାଟିଗ୍ ପ୍ରତିରୋଧକ ଶକ୍ତି (fatigue resistance), ଡିଜାଇନ୍ ନମନୀୟତା ସହିତ ଚମତ୍କାର କ୍ଷୟ ପ୍ରତିରୋଧକ କ୍ଷମତା ରହିଛି, ଯାହା ଏହାକୁ ବ୍ୟାପକ ଇଞ୍ଜିନିୟରିଂ ପ୍ରୟୋଗ ପାଇଁ ଉପଯୁକ୍ତ କରିଥାଏ।
NIT ରାଉରକେଲା ନେତୃତ୍ୱାଧୀନ ଗବେଷକ ଦଳ 3D ରିଇନ୍ଫୋର୍ସଡ୍ କମ୍ପୋଜିଟ୍ ବିକଶିତ କରିଛନ୍ତି। ଏହି ହାଇବ୍ରିଡ୍ କମ୍ପୋଜିଟ୍ ଗ୍ଲାସ୍ ଫାଇବରକୁ ଗ୍ରାଫିନ୍ ନାନୋପ୍ଲେଟଲେଟ୍ସ ସହିତ ମିଶ୍ରଣ କରିଥାଏ, ଯାହା ନିର୍ମାଣ ସମୟରେ କମ୍ପୋଜିଟ୍ର ମୋଟେଇ ଆଡ଼କୁ ସଜାଡ଼ି ହୋଇ ରହିଥାଏ। ଏହି ପ୍ରକ୍ରିୟା ଏକ ମଜବୁତ୍ ଆଭ୍ୟନ୍ତରୀଣ ସଂରଚନା ସୃଷ୍ଟି କରେ, ଯାହା ଫାଇବର, ଗ୍ରାଫିନ୍ ଏବଂ ଇପୋକ୍ସି ମ୍ୟାଟ୍ରିକ୍ସକୁ ଅଧିକ ପ୍ରଭାବଶାଳୀ ଭାବରେ ଏକାଠି କାମ କରିବାକୁ ଅନୁମତି ଦିଏ, ଫଳସ୍ୱରୂପ ଏକ ଶକ୍ତ ଏବଂ ଅଧିକ ସ୍ଥାୟୀ କମ୍ପୋଜିଟ୍ ପ୍ରସ୍ତୁତ ହୋଇଥାଏ।
ଏହି ପେଟେଣ୍ଟପ୍ରାପ୍ତ ପ୍ରଯୁକ୍ତିବିଦ୍ୟାର ଏକ ମୁଖ୍ୟ ବିଶେଷତ୍ୱ ହେଉଛି ଏକ ସରଳ ନିର୍ମାଣ ପ୍ରଣାଳୀ ବ୍ୟବହାର କରି ଗ୍ଲାସ୍ ଫାଇବର-ରିଇନ୍ଫୋର୍ସଡ୍ ଇପୋକ୍ସି କମ୍ପୋଜିଟ୍ ମଧ୍ୟରେ ଅପରିବର୍ତ୍ତିତ (unmodified) ଗ୍ରାଫିନ୍ ନାନୋପ୍ଲେଟଲେଟ୍ସକୁ ସଜାଡ଼ି ରଖିବାର କ୍ଷମତା। ପାରମ୍ପରିକ ନିର୍ମାଣ ପଦ୍ଧତିରେ ଏକ ସାମାନ୍ୟ ପରିବର୍ତ୍ତନ ସହିତ, ଗବେଷକ ଦଳ ନିର୍ମାଣ ପ୍ରକ୍ରିୟା ସମୟରେ ୮୦୦ ଭୋଲ୍ଟରେ ୫୦ ହର୍ଟଜ୍ (50 Hz) AC ଇଲେକ୍ଟ୍ରିକ୍ ଫିଲ୍ଡକୁ ଏକ ମାନକ ଭାବେ ବ୍ୟବହାର କରିଥିଲେ, ଯାହା ଏହି ପ୍ରକ୍ରିୟାକୁ ସାଧାରଣତଃ ବ୍ୟବହୃତ ହେଉଥିବା କମ୍ପୋଜିଟ୍ ନିର୍ମାଣ ପଦ୍ଧତି ସହିତ ଅନୁକୂଳ କରିପାରିଛି।
ଏନେଇ NIT ରାଉରକେଲା ସହକାରୀ ପ୍ରଫେସର ଡକ୍ଟର ରାଜେଶ କୁମାର ପୃଷ୍ଟି କହିଛନ୍ତି, “ଆମର ପ୍ରଯୁକ୍ତିବିଦ୍ୟାର ସେହିସବୁ କ୍ଷେତ୍ରରେ ବ୍ୟାପକ ପ୍ରୟୋଗ ରହିଛି ଯେଉଁଠାରେ ହାଲୁକା ଥାଇ ମଧ୍ୟ ଆଘାତ ସହିପାରୁଥିବା ସାମଗ୍ରୀର ଆବଶ୍ୟକତା ରହିଛି। ବିମାନ ପ୍ୟାନେଲ୍, ଅଟୋମୋବାଇଲ୍ କ୍ରାସ୍ ଷ୍ଟ୍ରକ୍ଚର, ୱିଣ୍ଡ ଟରବାଇନ୍ ବ୍ଲେଡ୍, ପ୍ରେସର ଭେସେଲ୍, ସାମୁଦ୍ରିକ ସଂରଚନା, ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଇଞ୍ଜିନିୟରିଂ ଯନ୍ତ୍ରାଂଶ ହେଉଛି କିଛି ମୁଖ୍ୟ ଉଦାହରଣ ଯେଉଁଠାରେ ଆମର ନବସୃଜନ ସିଧାସଳଖ ବ୍ୟବହୃତ ହୋଇପାରିବ।” ଲ୍ୟାବ୍-ସ୍କେଲ୍ ପରୀକ୍ଷଣ ଉପରେ ଆଧାର କରି, ଗବେଷକ ଦଳ ବିକଶିତ FRP କମ୍ପୋଜିଟ୍କୁ ଉଚ୍ଚ ମାନର ବୋଲି ପାଇଛନ୍ତି।
ସେହିପରି NIT ରୋଷରକେଲାର ପ୍ରଫେସର ବଙ୍କିମ ଚନ୍ଦ୍ର ରାୟ କହିଛନ୍ତି, “ଓଜନ କମାଇବା ସହିତ ସ୍ଥାୟୀତ୍ୱ ବୃଦ୍ଧି କରି ଏହି ନବସୃଜନ ରକ୍ଷଣାବେକ୍ଷଣ ଖର୍ଚ୍ଚ କମାଇବା, ଶକ୍ତି ଦକ୍ଷତା ବୃଦ୍ଧି କରିବା ଏବଂ ସ୍ଥାୟୀ ନିର୍ମାଣ ପ୍ରଣାଳୀରେ ଯୋଗଦାନ ଦେବାର କ୍ଷମତା ରଖିଛି। ଅତ୍ୟାଧୁନିକ ସାମଗ୍ରୀ କ୍ଷେତ୍ରରେ ଭାରତର ‘ଆତ୍ମନିର୍ଭର ଭାରତ’ ମିଶନକୁ ସମର୍ଥନ କରିବାରେ ଆମର ଉଦ୍ଭାବନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।”
ପରବର୍ତ୍ତୀ ପଦକ୍ଷେପ ଭାବରେ ଗବେଷକ ଦଳ ବିକଶିତ ସାମଗ୍ରୀକୁ ବଡ଼ ସଂରଚନାତ୍ମକ ଯନ୍ତ୍ରାଂଶରେ ପରୀକ୍ଷା କରିବାକୁ ଏବଂ ଏହାର ଦୀର୍ଘକାଳୀନ ପରିବେଶଗତ ସ୍ଥାୟୀତ୍ୱର ମୂଲ୍ୟାଙ୍କନ କରିବାକୁ ଯୋଜନା କରୁଛନ୍ତି। ଏହା ସହିତ, ଏହି ନବସୃଜନକୁ ଲ୍ୟାବ୍ରୁ ବଜାରକୁ ଆଣିବା ପାଇଁ ଟିମ୍ ଟେକ୍ନୋଲୋଜି ଲାଇସେନ୍ସିଂ ଏବଂ ଶିଳ୍ପ ସହଯୋଗ ପାଇଁ ପ୍ରୟାସ କରୁଥିବା କୁହାଯାଇଛି।