Latest Odisha News

BREAKING NEWS

ପରଲୋକରେ ସୁପ୍ରସିଦ୍ଧ ପାଲା ଗାୟକ ଶେଖର ଜଗନ୍ନାଥ ବେହେରା;ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର:ଓଡ଼ିଶାର ପ୍ରାଚୀନ ଲୋକକଳା ‘ପାଲା’ର ବିଶିଷ୍ଟ ଗାୟକ ତଥା ଶତାୟୁ ବରେଣ୍ୟ କଳାକାର ଶେଖର ଜଗନ୍ନାଥ ବେହେରାଙ୍କର ପରଲୋକ। ରବିବାର ରାତି ୧୧ଟା ୪୫ ମିନିଟରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କଟିଜଙ୍ଗା ଗ୍ରାମରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ମହାନ କଳାକାରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ,”ବର୍ଷୀୟାନ ପାଲା ଗାୟକ, କେନ୍ଦ୍ର ସଂଗୀତ ନାଟକ ଅକାଦେମୀ ପୁରସ୍କାରପ୍ରାପ୍ତ ସଂସ୍କୃତି ସାଧକ ପଣ୍ଡିତ ଜଗନ୍ନାଥ ବେହେରାଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଆମର ପାରମ୍ପରିକ ଲୋକକଳା ‘ପାଲା’ ର ସଂରକ୍ଷଣ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ସଦାସର୍ବଦା ସ୍ମରଣୀୟ ରହିବ। ତାଙ୍କର ନିଷ୍ଠାପର କଳା ସାଧନା ଓ ପାଣ୍ଡିତ୍ୟ ଆମ ସଂସ୍କୃତି ଜଗତକୁ ସମୃଦ୍ଧ କରିଛି। ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ”

ପାଲାକୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ଯେଉଁ ବିଶିଷ୍ଟ ଗାୟକଙ୍କର ପ୍ରମୁଖ ଭୂମିକା ରହିଛି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ଶେଖର ଜଗନ୍ନାଥ ବେହେରା । ଏହି ବୟୋଜ୍ୟେଷ୍ଠ ଗାୟକଙ୍କର ଜନ୍ମ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କଟିଜଙ୍ଗା ଗାଁରେ । ୧୯୨୫ ମସିହାରେ ଏକ କୁମ୍ଭକାର ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ବାପା ବିଶ୍ୱନାଥ ବେହେରା ଓ ମାଆ ଚାନ୍ଦମଣିଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ମଧ୍ୟରେ ଜଗନ୍ନାଥ ଦ୍ୱିତୀୟ ସନ୍ତାନ । ସେ ପ୍ରଥମେ ହରେକୃଷ୍ଣ ସ୍ୱାଇଁଙ୍କଠାରୁ ପାଲା ଶିଖିଲେ । ପରେ ତତ୍କାଳୀନ ଗାୟକରତ୍ନ ହରି ନାଥଙ୍କୁ ଗୁରୁ କରିଥିଲେ ।

ସାରା ଓଡିଶା ସମେତ ସେ ଷଢେଇକଳା, ଖରସୁଆଁ, ପଶ୍ଚିମବଙ୍ଗ, ହାଇଦ୍ରାବାଦ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରିଛନ୍ତି ।

ଜଗନ୍ନାଥ ବେହେରା ଥିଲେ ଦୂରଦର୍ଶନ ଓ ଆକାଶବାଣୀର ଜଣେ ପ୍ରଥମ ଶ୍ରେଣୀର କଳାକାର । ଉଚ୍ଚକୋଟୀର ପାଲା ପରିବେଷଣ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ସମ୍ମାନ ଜନକ ସାରଳା ପୁରସ୍କାର ସହ ୨୦୦୭ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ୨୦୧୦ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସହ ୨୦୧୬ ମସିହା ପାଇଁ ସମ୍ମାନଜନକ ବୟୋଶ୍ରେଷ୍ଠ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲେ ଜଗନ୍ନାଥ ବେହେରା ।

Leave A Reply

Your email address will not be published.