Latest Odisha News

BREAKING NEWS

ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୧୦ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ବନ୍ୟା ବିପନ୍ନମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଲାଗି ରାଜ୍ୟ ସରକାର ୧୧୦ କୋଟି ଟଙ୍କାର ଏକ ପ୍ରାଥମିକ ରିଲିଫ୍ ପ୍ୟାକେଜ୍ ମଞ୍ଜୁର କରିଛନ୍ତି। ଆକାଶମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ତୁରନ୍ତ ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟର ୨୨ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୮୫ଟି ବ୍ଲକ୍, ୧୫ଟି ପୌରାଞ୍ଚଳ, ୬୫୬ଟି ଗ୍ରାମ ପଞ୍ଚାୟତ ଏବଂ ୧୪୫୮ଟି ଗାଁର ପ୍ରାୟ ୮.୬୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୨ ଲକ୍ଷ ୬୭ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ ବନ୍ୟା ଯୋଗୁଁ ୬ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୩୩,୪୫୮ ହେକ୍ଟର ଚାଷଜମି ଏବଂ ୩,୫୬୭ଟି ଘର ନଷ୍ଟ ହୋଇଛି।

ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ନିୟମ ଅନୁଯାୟୀ ବିଭିନ୍ନ ବର୍ଗର କ୍ଷତିଗ୍ରସ୍ତଙ୍କୁ ନିମ୍ନମତେ ସହାୟତା ପ୍ରଦାନ କରାଯିବ:

ଗୃହ ନିର୍ମାଣ ଓ ମରାମତି:

  • ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘର: ୧.୨୦ ଲକ୍ଷ ଟଙ୍କା
  • ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର: ୬,୫୦୦ ଟଙ୍କା
  • ଆଂଶିକ ଭାଙ୍ଗିଥିବା କଚ୍ଚା ଘର: ୪,୦୦୦ ଟଙ୍କା
  • ନଷ୍ଟ ହୋଇଯାଇଥିବା କୁଡ଼ିଆ ଘର: ୮,୦୦୦ ଟଙ୍କା
  • ଗୋହାଳ ଘର ମରାମତି: ୩,୦୦୦ ଟଙ୍କା

କୃଷି ଓ ଫସଲ କ୍ଷୟକ୍ଷତି (ହେକ୍ଟର ପିଛା):

  • ଅଣ-ଜଳସେଚିତ ଜମି: ୮,୫୦୦ ଟଙ୍କା
  • ଜଳସେଚିତ ଜମି: ୧୭,୦୦୦ ଟଙ୍କା
  • ଦୀର୍ଘମିଆଦୀ  ଫସଲ: ୨୨,୫୦୦ ଟଙ୍କା

ମୃତାହତ ଓ ପଶୁସମ୍ପଦ କ୍ଷତିପୂରଣ:

  • ମୃତକଙ୍କ ପରିବାରକୁ କ୍ଷତିପୂରଣ: ବନ୍ୟାରେ ପ୍ରାଣ ହରାଇଥିବା ୬ ଜଣ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ।
  • ଗାଈ/ମଇଁଷି (ଦୁହାଁଳିଆ ପଶୁ): ୩୭,୫୦୦ ଟଙ୍କା
  • ବଳଦ/ଘୋଡ଼ା (ଶ୍ରମିକ ପଶୁ): ୩୨,୦୦୦ ଟଙ୍କା
  • ବାଛୁରୀ/ଗଧ: ୨୦,୦୦୦ ଟଙ୍କା
  • ଛେଳି/ମେଣ୍ଢା: ୪,୦୦୦ ଟଙ୍କା

ବର୍ତ୍ତମାନ ରାଜ୍ୟରେ ୫୨୯ଟି ରିଲିଫ୍ କ୍ୟାମ୍ପ ଏବଂ ୩୧ଟି ପଶୁ ଶିବିର ଖୋଲାଯାଇଛି। ଉଦ୍ଧାର କାର୍ଯ୍ୟରେ ସମୁଦାୟ ୧୯୯ଟି ରେସ୍କ୍ୟୁ ଟିମ୍ ନିୟୋଜିତ ହୋଇଛନ୍ତି, ଯେଉଁଥିରେ ୨୦ଟି ଓଡ୍ରାଫ୍, ୭ଟି ଏନଡିଆରଏଫ ଏବଂ ୧୭୨ଟି ଅଗ୍ନିଶମ ବାହିନୀ ସାମିଲ ଅଛନ୍ତି। ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବିପନ୍ନଙ୍କୁ ପ୍ରଚୁର ପରିମାଣରେ ଚୁଡ଼ା, ଗୁଡ଼, ଚାଉଳ, ପଲିଥିନ୍ ସମେତ ପାନୀୟ ଜଳ ଓ ଔଷଧ ଯୋଗାଇ ଦିଆଯାଉଛି। ଏହାଛଡ଼ା ଗୃହପାଳିତ ପଶୁଙ୍କ ପାଇଁ ୧,୮୧୬ ମେଟ୍ରିକ୍ ଟନ୍ ଗୋଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମାଗଣା ରିଲିଫ୍ ଯୋଗାଇ ଦିଆଯିବ। ତେବେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପୂର୍ବରୁ ରାଜ୍ୟ ସରକାର ଅତିରିକ୍ତ ଭାବେ ୨୬ କୋଟି ଟଙ୍କାର ଅଗ୍ରୀମ ସହାୟତା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକୁ ପ୍ରଦାନ କରିସାରିଛନ୍ତି। ବନ୍ୟା ଛାଡ଼ିବା ପରେ ଚୂଡ଼ାନ୍ତ ଆକଳନ ରିପୋର୍ଟ ଆସିଲେ ରାସ୍ତାଘାଟ, ପୋଲ ଓ ଅନ୍ୟାନ୍ୟ ଜନ-ଭିତ୍ତିଭୂମି ମରାମତି ପାଇଁ ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.