କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଘଟିଥିବା ବିବାଦ ଏବେ ରାଜନୈତିକ ଓ ଶିକ୍ଷାଗତ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କ୍ୟାମ୍ପସରେ କଥିତ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲର ସମସ୍ତ ୱାର୍ଡେନ ସାମୂହିକ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି। ସେମାନେ କୂଳପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିବା ସହ କ୍ୟାମ୍ପସର ପରିସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
କଟକ ସଦର ବିଧାୟକଙ୍କ କଥିତ ହସ୍ତକ୍ଷେପକୁ ୱାର୍ଡେନ ସଂଘ ବିରୋଧ କରିଛି। ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ବାହ୍ୟ ହସ୍ତକ୍ଷେପ ଶିକ୍ଷା ପରିବେଶକୁ ପ୍ରଭାବିତ କରୁଛି ବୋଲି ସେମାନଙ୍କ ଅଭିଯୋଗ ହେଉଛି। ଅଗଷ୍ଟ ୧ ତାରିଖ ରାତିରେ ଏହି ଘଟଣା ଘଟିଥିଲା। ଫ୍ରେଣ୍ଡସିପ ଡେ ସେଲିବ୍ରେସନ ପାଇଁ ହଷ୍ଟେଲରେ ଏକାଠି ହୋଇଥିଲେ ଅନ୍ତେବାସୀ। ସେହି ସମୟରେ ଦୁଇଟି ହଷ୍ଟେଲ ରୁମରେ ଡେପୁଟି ୱାର୍ଡେନ ତାଲା ପକାଇଥିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ଏହାର ପ୍ରତିବାଦରେ ହଷ୍ଟେଲ ଅନ୍ତେବାସୀମାନେ ପ୍ରାୟ ୨୪ ଘଣ୍ଟା ଧରି ଧର୍ମଘଟ କରିଥିଲେ। ଅନ୍ୟପଟେ ଏହି ଘଟଣା ପରେ କ୍ୟାମ୍ପସରେ ଉତ୍ତେଜନା ବଢ଼ିବା ସହ ବିଶ୍ୱବିଦ୍ୟାଳୟର ପରିବେଶ ଅଶାନ୍ତ ହୋଇପଡ଼ିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା, ହଷ୍ଟେଲ ପରିଚାଳନା ଏବଂ କ୍ୟାମ୍ପସର ଶୃଙ୍ଖଳାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।