Latest Odisha News

BREAKING NEWS

କ୍ରାଇମ୍ ବ୍ରାଞ୍ଚ ଚାର୍ଜସିଟରେ ଚାଞ୍ଚଲ୍ୟକର ଖୁଲାସା, ଅତ୍ୟଧିକ ଡ୍ରଗ୍ସ ନିଶାରେ ଥିଲେ କନଷ୍ଟେବଳ ସୌମ୍ୟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ମାମଲାରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଏକ ବଡ଼ ଖୁଲାସା କରାଯାଇଛି। କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ୭୬୭ ପୃଷ୍ଠା ସମ୍ବଳିତ ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ଚାର୍ଜସିଟ୍‌ରୁ ଜଣାପଡ଼ିଛି ଯେ, ଘଟଣା ଦିନ ସୌମ୍ୟ ଅତ୍ୟଧିକ ଡ୍ରଗ୍ସ (ଷ୍ଟିରଏଡ୍) ନେଇଥିଲେ ଏବଂ ତାଙ୍କର ଆଚରଣ ସମ୍ପୂର୍ଣ୍ଣ ଅସ୍ୱାଭାବିକ ଥିଲା।

କ୍ରାଇମ୍ ବ୍ରାଞ୍ଚର ରିପୋର୍ଟ ଅନୁଯାୟୀ, ସୌମ୍ୟ ରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ତଥା ରକ୍ତ ନମୁନାରୁ ‘ଆନାବୋଲିକ୍-ଆଣ୍ଡ୍ରୋଜେନିକ୍ ଷ୍ଟିରଏଡ୍’ ମିଳିଛି। ବଡି ବିଲ୍ଡିଂ କରିବା ନିଶାରେ ସେ ଗୋଟିଏ ଦିନ ପୂର୍ବରୁ ଅଡଶପୁରରୁ ଏହି ଷ୍ଟିରଏଡ୍ ଆଣି ଗ୍ରହଣ କରିଥିଲେ। ଅତ୍ୟଧିକ ମାତ୍ରାରେ ଏହି ଡ୍ରଗ୍ସ ନେବା ଫଳରେ ତାଙ୍କର ମାନସିକ ଭାରସାମ୍ୟ ବିଗିଡ଼ି ଯାଇଥିଲା। ଗତ ମେ’ ୭ ତାରିଖ ଦିନ ସାଙ୍ଗ ଓମ୍ ପ୍ରକାଶଙ୍କ ସହ ଏକ ବାଇକରେ ଯାଉଥିବା ବେଳେ ସେ ଅଚାନକ ତାଙ୍କ ବେକକୁ ପଛରୁ ଚିପି ଧରିଥିଲେ। ଫଳରେ ଭାରସାମ୍ୟ ହରାଇ ବାଇକଟି ଏକ ସ୍କୁଟି ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସୌମ୍ୟ ସ୍କୁଟିରେ ଥିବା ଜଣେ ଯୁବତୀଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର (ଦୁଷ୍କର୍ମ ଉଦ୍ୟମ) କରିଥିଲେ।

ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ଉତ୍‌କ୍ଷିପ୍ତ ହୋଇ ସେଠାରେ ରୁଣ୍ଡ ହୋଇଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ସେତେବେଳେ ସୌମ୍ୟ ଏକ ସାପ ପରି ହାତ ଛନ୍ଦିବା ଏବଂ ପକ୍ଷୀ ପରି ଡେଣା ଝାଡ଼ିବା ଭଳି ଅଜବ ଆଚରଣ କରୁଥିଲେ। ଏଥିରେ ଉତ୍ୟକ୍ତ ଲୋକେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼େଇଥିଲେ। ପୋଲିସ ଆସିବା ପରେ ମଧ୍ୟ ସୌମ୍ୟଙ୍କ ଉଗ୍ର ଆଚରଣ ଶାନ୍ତ ପଡ଼ିନଥିଲା। ତାଙ୍କ ଶରୀରରେ ୨୧ଟି ଗଭୀର କ୍ଷତ ଚିହ୍ନ ଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। କାଠ ଫାଳିଆରେ ମୁଣ୍ଡକୁ ଶକ୍ତ ଆଘାତ ଲାଗିବା କାରଣରୁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଚାଞ୍ଚଲ୍ୟକର ଗଣପିଟୁଣି ମାମଲାରେ ସ୍ଥାନୀୟ ପୋଲିସ ମୋଟ ୨୦ ଜଣଙ୍କୁ ଗିରଫ କରିଥିଲା। ତେବେ ଉପଯୁକ୍ତ ବୈଜ୍ଞାନିକ ପ୍ରମାଣ ଏବଂ ସାକ୍ଷ୍ୟ ଭିତ୍ତିରେ କ୍ରାଇମ୍ ବ୍ରାଞ୍ଚ ବର୍ତ୍ତମାନ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଭାରତୀୟ ନ୍ୟାୟ ସଂହିତାର ଏକାଧିକ ସଙ୍ଗିନ ଦଫା ଏମାନଙ୍କ ଉପରେ ଲଗାଯାଇଛି ।

ଅନ୍ୟପକ୍ଷରେ, ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ବାକି ୯ ଜଣଙ୍କ ବିରୋଧରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତଥାପି ମାମଲାର ତଦନ୍ତ ପ୍ରକ୍ରିୟା ବନ୍ଦ କରାଯାଇନାହିଁ। ଫୋରେନ୍ସିକ୍ ରିପୋର୍ଟ ଆସିବା ପରେ କିମ୍ବା ଆବଶ୍ୟକ ପ୍ରମାଣ ମିଳିଲେ ଆଗାମୀ ଦିନରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.