ନୂଆଦିଲ୍ଲୀ: ଅଗଷ୍ଟ ୭ ତାରିଖରେ ସାରା ଦେଶରେ ‘ଜାତୀୟ ହସ୍ତତନ୍ତ ଦିବସ’ ପାଳନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ସ୍ୱତନ୍ତ୍ର ନିବେଦନ କରିଛନ୍ତି । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ସେୟାର କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସ୍ଥାନୀୟ ବୁଣାକାରମାନଙ୍କୁ ସମର୍ଥନ କରିବାକୁ ଏବଂ ହସ୍ତତନ୍ତ ସାମଗ୍ରୀ କିଣିବାକୁ ଅପିଲ୍ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ଯେପରି ଲୋକମାନେ ‘ବନ୍ଧୁତା ଦିବସ’ ଖୁବ୍ ଉତ୍ସାହର ସହିତ ପାଳନ କରୁଛନ୍ତି, ଠିକ୍ ସେହିପରି ଦେଶର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଥିବା ହସ୍ତତନ୍ତ ଦିବସକୁ ମଧ୍ୟ ବ୍ୟାପକ ଭାବେ ପାଳନ କରିବା ଉଚିତ୍ । ଦେଶର କୋଣ ଅନୁକୋଣରେ ଥିବା ଆମର ବୁଣାକାର ଭାଇଭଉଣୀମାନଙ୍କ ପାଇଁ ଏହା ଏକ ବଡ଼ ସମ୍ମାନ ହେବ ବୋଲି ସେ ପ୍ରକାଶ କରିଛନ୍ତି ।
ଏହା ସହିତ ସ୍ୱଦେଶୀ ସାମଗ୍ରୀର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସେ ‘ଭୋକାଲ୍ ଫର୍ ଲୋକାଲ୍’ ଉପରେ ଗୁରୁତ୍ୱାରୋପ କରିଛନ୍ତି। ହସ୍ତତନ୍ତ କପଡ଼ା କିଣିବା ଦ୍ୱାରା କେବଳ ଦେଶର ଅର୍ଥନୀତି ସୁଦୃଢ଼ ହୁଏ ନାହିଁ, ବରଂ ଗ୍ରାମାଞ୍ଚଳରେ ଥିବା ହସ୍ତଶିଳ୍ପୀ ଏବଂ କାରିଗରମାନେ ମଧ୍ୟ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିବେ। ଏହି ଭିଡିଓକୁ ଅଧିକରୁ ଅଧିକ ସେୟାର କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ମୋଦି ଦେଶର ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ତଥା ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୨୦୧୫ ମସିହାରୁ ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି । ୧୯୦୫ ମସିହାରେ ଆଜିର ଦିନରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ଏହି ତାରିଖକୁ ଚୟନ କରାଯାଇଥିଲା।
